ବମ୍ବେ: କଳାକାରଙ୍କ ପରେ ଏବେ ନିର୍ଦ୍ଦେଶକ ଛାଡ଼ିଲେ ‘ତାରକ ମେହେତା କା ଉଲଟା ଚଷମା’ ଶୋ’। ଦୀର୍ଘ ୧୪ ବର୍ଷ ଧରି ନିର୍ଦ୍ଦେଶନା ଦେଇ ଆସୁଥିବା ମାଳବ ରାଜଦା ଏବେ ଶୋ’ ଛାଡ଼ିଛନ୍ତି। ତାଙ୍କର ଏହି ନିଷ୍ପତ୍ତି ଅନେକଙ୍କୁ ଚକିତ କରିଛି। ଡିସେମ୍ବର ୧୫ରେ ସେ ଶେଷ ଥର ପାଇଁ ଶୋ’ର ଶୁଟିଂ କରିଥିଲେ।
ତେବେ ପ୍ରଯୋଜନା ସଂସ୍ଥା ସହ ମାଳବଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏହାକୁ ନେଇ ସେ ଶୋ’ ଛାଡ଼ିଥିବା ଚର୍ଚ୍ଚା ହେଉଥିବା ବେଳେ ଭିନ୍ନ କାହାଣୀ କହିଛନ୍ତି ମାଳବ। ଦୀର୍ଘ ୧୪ ବର୍ଷ ଧରି କାମ କରିବା ପରେ ମୋତେ ଲାଗିଲା ଯେ ମୁଁ ବେଶ ସହଜ କାମକୁ ବାଛି ନେଇଛି। ନିଜକୁ ଆଗକୁ ବଢ଼ାଇବା ଲାଗି ମୁଁ ଏଭଳି ନିଷ୍ପତ୍ତି ନେଇଛି। ହେଲେ ଏହି ଶୋ’ ମୋତେ ପରିଚୟ ଏବଂ ଟଙ୍କା ଦେବା ସହ ଜୀବନସାଥୀ ଦେଇଛି। ଏଣୁ ସର୍ବଦା ମୁୂଁ ଋଣି ରହିବି ବୋଲି ସେ କହିଛନ୍ତି।
କହିରଖୁଛୁ, ‘ତାରକ ମେହେତା କା ଉଲଟା ଚଷମା’ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଗୋଟିଏ। ହେଲେ ବିଗତ ଦିନରେ ଶୋ’କୁ ଗୋଟିଏ ପରେ ଗୋଟିଏ ଝଟ୍କା ମିଳୁଛି। ଅନେକ କଳାକାର ଶୋ’ ଛାଡ଼ିସାରିଛନ୍ତି। ସେମାନଙ୍କ ମଧ୍ୟରେ ରାଜ ଉନାଦକଟ, ଶୈଳେଷ ଲୋଢ଼ା, ଦିଶା ବକାନି ପ୍ରମୁଖ ରହିଛନ୍ତି। ଏବେ ନିର୍ଦ୍ଦେଶକ ଶୋ’ ଛାଡ଼ିବା ପରେ ଶୋ’ରେ କେତେ ପ୍ରଭାବ ପଡ଼ୁଛି ତାହା ଦେଖିବା ବାକି ରହିଲା।