ପରଦାରେ ଚୁମ୍ବନ ଦୃଶ୍ୟ ଦେଖି ଚିଡ଼ୁଥିଲେ ଆୟୁଷ୍ମାନଙ୍କ ପତ୍ନୀ, ଭାଙ୍ଗିବାକୁ ଚାହୁଁଥିଲେ ବିବାହ

ବମ୍ବେ: ବଲିଉଡ୍‌ର ସଫଳ ବିବାହିତ ଯୋଡ଼ିଙ୍କ ମଧ୍ୟରୁ ଅଭିନେତା ଆୟୁଷ୍ମାନ ଖୁରାନ୍ନା ଏବଂ ପତ୍ନୀ ତାହିରା କଶ୍ୟପ ଅନ୍ୟତମ। ଦୁହେଁ ଭିନ୍ନ ମଣିଷ ହୋଇଥିଲେ ହେଁ ପରସ୍ପରପ୍ରତି ଥିବା ବିଶ୍ୱାସ ଯୋଗୁ ସେମାନଙ୍କ ବିବାହ ଗାଡ଼ି ବେଶ ଭଲ ଭାବେ ଚାଲିଛି। ଏକ ସମୟ ଏପରି ଥିଲା ଯେତେବେଳେ ତାହିରା ଆୟୁଷ୍ମାନଙ୍କଠାରୁ ଅଲଗା ହେବାକୁ ଚାହୁଁଥିଲେ। ଆଶ୍ଚର୍ଯ୍ୟ ହେଲେ ନା।

କଥାଟି କିନ୍ତୁ ସତ। ସ୍ପଟବୟକୁ ଦେଇଥିବା ଏକ ସାକ୍ଷାତକାରରେ ତାହିରା ଏନେଇ କହିଥିଲେ। ପରଦାରେ ଆୟୁଷ୍ମାନ ଅନ୍ୟ ନାୟିକାଙ୍କୁ ଚୁମ୍ବନ ଦେଉଥିବା ଦୃଶ୍ୟକୁ ସେ ନାପସନ୍ଦ କରୁଥିଲେ। ବିଶେଷକରି ମା’ ହେବାକୁ ଯାଉଥିବା ବେଳେ କିଛି ବି ସହି ପାରୁ ନ ଥିଲେ ସେ। ଫିଲ୍ମ ଯୋଗୁ ଆୟୁଷ୍ମାନ ତାଙ୍କଠାରୁ ଦୂରରେ ରହୁଥିଲେ। ଏଣେ ତାହିରା ନିଜକୁ ନ୍ୟୁନ ଭାବିବା ଆରମ୍ଭ କରିଥିଲେ। ଆୟୁଷ୍ମାନ କେବେ ବି ତାଙ୍କୁ ଧୋକା ଦେବେ ନାହିଁ ବୋଲି ଜାଣିଥିଲେ ହେଁ ନିଜର ଚିନ୍ତାକୁ ରୋକି ପାରୁ ନ ଥିଲେ।

ଏଭଳି ଘଟଣାକୁ ନେଇ ତାହିରା ଅନେକ ଥର ବିବାହ ଚାଲିବ ନାହିଁ ବୋଲି ଭାବିଥିଲେ। ଅପରପକ୍ଷେ ଆୟୁଷ୍ମାନ କେବେ ବି ସମ୍ପର୍କ ଭାଙ୍ଗିବାକୁ ଚାହୁଁ ନ ଥିଲେ। ପରେ କଳାକାର ଏବଂ ଜୀବନସାଥୀ ଭାବେ ଦୁହିଁଙ୍କ ସମ୍ପର୍କ ପରିପକ୍ୱ ହୋଇଥିଲା। ଏବେ ସେମାନେ ଯେଉଁଠି ବି ଅଛନ୍ତି, ନିଜକୁ ମଜଭୂତ ଭାବେ ଦେଖନ୍ତି ବୋଲି ତାହିରା କହିଛନ୍ତି।

Share