ଭିଜିଲାନ୍ସ ଜାଲରେ ତହସିଲଦାର

ରାୟଗଡ଼ା,୫।୭(ଆଶିଷ ରଞ୍ଜନ ପଣ୍ଡା): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ। ତାଙ୍କ ସରକାରୀ ଗାଡି ଭିତରୁ ଜବତ କରାଯାଇଛି ୧ ଲକ୍ଷ ୧୫ ହଜାର ଟଙ୍କା। ହନୁମନ୍ତପୂର ଗ୍ରାମର ଗୋଟିଏ ଗୋଷ୍ଠୀ ଠାରୁ ସେ ଏହି ଟଙ୍କା ଲାଞ୍ଚ ନେଇଥିଲେ। ସରକାରୀ ଜମିରେ ପଟ୍ଟା ପ୍ରଦାନ ପାଇଁ ଲାଞ୍ଚ ନେଇ ଗାଡି ଭିତରେ ରଖିଥିଲେ ତହସିଲଦାର। ତେବେ ଏହା କୌଣସି ସୂତ୍ରରେ ଜାଣିବାକୁ ପାଇଥିଲେ ଭିଜିଲାନ୍ସ ଇନ୍ସପେକ୍ଟର ତରୁଲତା ବେହେରା। ଏହା ଜଣାପଡିବା ପରେ ଇନ୍ସପେକ୍ଟର ତରୁଲତାଙ୍କ ନେତୃତ୍ୱରେ ଏକ ଭିଜିଲାନ୍ସ ଟିମ ତହସିଲଦାର ଗାଡ଼ିକୁ ଗୋଡ଼ାଇ ଥିଲେ। ହେଲେ ସେ ରାୟଗଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ବୈଠକରେ ଯୋଗଦେବାକୁ ଆସିଥିଲେ। ବୈଠକ ସରିବା ପରେ ଚନ୍ଦ୍ରପୁର ଫେରିବା ପାଇଁ ବାହାରିବା ବେଳେ ଭିଜିଲାନ୍ସ ଟିମ ଧରିଥିଲା। ଭିଜିଲାନ୍ସ ଟିମ ଧରିବା ପରେ ଉକ୍ତ ଟଙ୍କା ଫୋପାଡିବା ପାଇଁ ତହସିଲଦାର ବିଚିତ୍ରାନନ୍ଦ ନାୟକ ଉଦ୍ୟମ କରିଥିଲେ। କିନ୍ତୁ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ଆଉ ଫିଙ୍ଗି ପାରିଲେ ନାହିଁ। ଏହାପରେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଗିରଫ କରି ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟ ଆଣିଥିଲେ କର୍ତ୍ତୃପକ୍ଷ। ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାର ତଦନ୍ତ ଜାରି ରହିଥିଲା।

Share