Advertisement

ଓଡ଼ିଶା ସୀମା ଦେଖାଇବାରେ ଦ୍ୱନ୍ଦ୍ୱରେ ପଡିଲେ ତହସିଲଦାର

ନନ୍ଦପୁର, ୧୧ା୭ (ଶଙ୍କର ପୂଜାରି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତରେ ଆନ୍ଧ୍ର ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିବା ଏବଂ ଶୋଭାପୁଟସ୍ଥିତ ବିଜୁ ସେତୁ ଦୁଇ ପାର୍ଶ୍ୱରେ ଆନ୍ଧ୍ରର ନିର୍ମାଣ ଖବର ପ୍ରକାଶନ ପରେ ବ୍ଲକ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ପ୍ରଶାସନିକ ଅଧିକାରୀମାନେ ସୋମବାର ସୁଡୁବ ଓ ଶୋଭାପୁଟ ପୋଲ ପରିଦର୍ଶନ କରିଛି। ବିଡିଓ ସୁଜିତ ମିଶ୍ର, ତହସିଲଦାର ନରସିଂହ ଗାଦବା, ଜିପିଇଓ ବେଦାନ୍ତ ମାଝୀ ପ୍ରମୁଖ ପରିଦର୍ଶନରେ ଯାଇଥିଲେ। ସୁଡୁବ ଗ୍ରାମ ପରିଦର୍ଶନ ବେଳେ ପ୍ରଶାସନିକ ଅଧିକାରୀମାନେ ଗ୍ରାମବାସୀଙ୍କ ସହ ଆନ୍ଧ୍ର ସିଡବ୍ଲ୍ୟୁସି ମହିଳା କର୍ମଚାରୀଙ୍କ ଅନୁପ୍ରବେଶ ସମ୍ପର୍କରେ ଗ୍ରାମବାସୀଙ୍କୁ ପଚାରି ବୁଝିଥିଲେ। କେତେକ ଗ୍ରାମବାସୀ ଆନ୍ଧ୍ରର ଅନୁପ୍ରବେଶକୁ ହଁ କହିଥିବା ବେଳେ ଆଉ କେତେଜଣ ନାଁ କହି ପ୍ରଶାସନ ଅଧିକାରୀମାନଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲେ। ଆନ୍ଧ୍ରର କୌଣସି ପ୍ରଲୋଭନରେ ନ ପଡିବାକୁ ଗ୍ରାମବାସୀଙ୍କୁ ବିଡିଓ ମିଶ୍ର ବୁଝାଇଥିଲେ। ଅନ୍ୟପକ୍ଷରେ ଶୋଭାପୁଟ ବିଜୁସେତୁଠାରେ ତହସିଲଦାର ଗାଦବା ଉପସ୍ଥିତ ପାନ୍ଥଲୁଙ୍ଗ ସରପଞ୍ଚ ପୂଜା ଖିଲ, ଏସଡିସି ସଦସ୍ୟ ଆକାଶ ଖିଲ ଓ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ମୁହଁାମୁହିଁ ସ୍ଥିତିରେ ପଡ଼ିଥିଲେ। ତହସିଲଦାର ଗାଦବା ପୋଲ ଆରପଟକୁ ଆନ୍ଧ୍ର କହୁଥିବା ବେଳେ ଗ୍ରାମବାସୀ ଏହାକୁ ଗ୍ରହଣ କରି ନ ଥିଲେ। ଗ୍ରାମବାସୀ କହିଥିଲେ, ଯଦି ପୋଲ ଆରପଟ ଆନ୍ଧ୍ର ତେବେ ଓଡ଼ିଶା ପ୍ରଶାସନ କ’ଣ ଆନ୍ଧ୍ରରେ ଅନୁପ୍ରବେଶ କରି ପୋଲ ଆରପଟେ ୪ଶହ ମିଟର ରାସ୍ତା ନିର୍ମାଣ କରି ଏଯାଏ ଦେଖାଶୁଣା କରୁଥିଲା କି ବୋଲି ପ୍ରଶ୍ନ କରିଥିଲେ। ଠିକ୍‌ ରୂପେ ସୀମା ଚିହ୍ନଟ ନ ହେଲେ ଆମେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିବୁ ବୋଲି ଗ୍ରାମବାସୀ କହିଥିଲେ। ତହସିଲଦାର ଗାଦବା ତହସିଲରେ ଯାହା ମ୍ୟାପ ଅଛି ତାକୁ ତର୍ଜମା କରି ଏଭଳି କହିଥିବା ପ୍ରକାଶ କରିଛନ୍ତି। ସୀମାନ୍ତ ଉପରେ ଜ୍ଞାନ ରଖିଥିବା ଉଚ୍ଚସ୍ତରୀୟ ରାଜସ୍ବ ଅଧିକାରୀଙ୍କ ଦ୍ବାରା ସୀମା ନିର୍ଦ୍ଧାରଣ କରିବାକୁ ଜିଲାପାଳଙ୍କୁ ଭେଟି ଗ୍ରାମବାସୀ ଅଭିଯୋଗ କରିବେ ବୋଲି ଏହି ଅବସରରେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel