ଚାଇନା ଡ୍ରୋନ୍‌କୁ ଘଉଡ଼ାଇଲା ତାଇଓ୍ବାନ

ତାଇପେଇ, ୩୧ା୮: ପ୍ରାୟ ମାସେ ଧରି ମୁହାଁମୁହିଁ ଅବସ୍ଥାରେ ଥିବା ଚାଇନା ଓ ତାଇଓ୍ବାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତପରଠୁ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ତାଇଓ୍ବାନ ପ୍ରଣାଳୀରେ ସମରାଭ୍ୟାସ କରିବା ସହ ଆତ୍ମଘୋଷିତ ସ୍ବାଧୀନ ଦ୍ୱୀପରାଷ୍ଟ୍ର ତାଇଓ୍ବାନକୁ ନାଲିଆଖି ଦେଖାଉଛି। ପିଏଲ୍‌ଏ ପକ୍ଷରୁ ସାମରିକ କୌଶଳ ଜାରି ରହିଥିବାବେଳେ ବେଜିଂ ଏହାର ଭୟଙ୍କର ପରିଣତି ଭୋଗିବ ବୋଲି ତାଇଓ୍ବାନ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ତାଇଓ୍ବାନ ସେନା ଚାଇନାର ଡ୍ରୋନ୍‌କୁ ଟାର୍ଗେଟ କରି ଘଉଡ଼ାଇ ଦେଇଛି।
ଆଇଲାଣ୍ଡ୍‌ରେ ଚାଇନାର ଦୁଇଟି ଡ୍ରୋନ୍‌ ଉଡ଼ାଣ କରୁଥିବା ତାଇଓ୍ବାନ ସୈନ୍ୟମାନେ ଦେଖିବାକୁ ପାଇଥିଲେ। ଚାଇନା ଉପକୂଳ ନିକଟବର୍ତ୍ତୀ ତଥା ତାଇଓ୍ବାନ ଦଖଲରେ ଥିବା ଦ୍ୱୀପପୁଞ୍ଜ ଆକାଶରେ ପିଏଲ୍‌ଏ ପକ୍ଷରୁ ଲଗାତର ଏଭଳି ଉତ୍ତେଜନା ସୃଷ୍ଟିକାରୀ କାର୍ଯ୍ୟ କରାଯାଉଥିବାରୁ ସେମାନେ ଦୁଇ ଡ୍ରୋନ୍‌କୁ ଲକ୍ଷ୍ୟ କରି ଗୁଳି କରିଥିଲେ। ଫଳରେ ଡ୍ରୋନ୍‌ ଦ୍ୱୟ ଚାଇନା ଭୂଖଣ୍ଡ ଆଡ଼କୁ ଫେରି ଯାଇଥିଲା।

Share