ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତଶାଳୀ କଲା ତାଇଓ୍ବାନ, ଚାଇନାର ବଢ଼ିଲା ଚିନ୍ତା…

ବେଜିଂ/ତାଇପେ,୨।୨ : ତାଇୱାନ ଚାଇନାକୁ କଡ଼ା ଜବାବ ଦେବାକୁ ଏହାର ନୌସେନାକୁ ସତର୍କ କରାଇ କ୍ଷେପଣାସ୍ତ୍ର ପ୍ରଣାଳୀକୁ ସକ୍ରିୟ କରିଛି। ଚାଇନାର ୩୪ ସାମରିକ ବିମାନ ଏବଂ ନଅଟି ଯୁଦ୍ଧ ଜାହାଜ ତାଇଓ୍ବାନର ଆକାଶ ମାର୍ଗ ସୀମାରେ ପ୍ରବେଶ କରିବା ପରେ ଏଭଳି ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ତାଇଓ୍ବାନ ଏହାର ଯୁଦ୍ଧ ବିମାନ ମୁତୟନ କରିବା ସହିତ ପ୍ରତିରକ୍ଷା ବ୍ୟବସ୍ଥାକୁ ଶକ୍ତିଶାଳୀ କରିଛି।

ଏନେଇ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ତାଇଓ୍ବାନର ଏପରି ପ୍ରସ୍ତୁତି ନେଇ ଖବର ଏକ ସମୟରେ ଆସିଛି ଯେତେବେଳେ ଚାଇନା ତାଇୱାନ ବିରୁଦ୍ଧରେ ସମ୍ଭାବ୍ୟ ଆକ୍ରମଣ ପାଇଁ ଯୋଜନା କରୁଛି। ଚାଇନାର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ତାଇୱାନର ମୁଖ୍ୟ ସହଯୋଗୀ ଆମେରିକାର ଚିନ୍ତା ମଧ୍ୟ ବୃଦ୍ଧି ପାଇଛି।

ଗତ ମାସରେ ଆମେରିକାର ବାୟୁସେନା ଜେନେରାଲ ମାଇକ ମିନିହାନ ଏକ ଚିଠିରେ ଅଧିକାରୀମାନଙ୍କୁ ୨୦୨୫ ମସିହାରେ ତାଇୱାନକୁ ନେଇ ଆମେରିକା-ଚାଇନା ମଧ୍ୟରେ ଯୁଦ୍ଧ ହେବାର ଆଶଙ୍କା ରହିଥିବା କହିଥିଲେ। ଏଥିପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏୟାର ମୋବିଲିଟି କମାଣ୍ଡର ମୁଖ୍ୟ ଭାବରେ ମିନିହାନ ଚାଇନାର ମନୋଭାବ ଆଧାରରେ ଏହା କହିଥିଲେ।
ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ୨୦ଟି ଚାଇନା ବିମାନ ତାଇୱାନ ଷ୍ଟ୍ରାଇଟରେ କେନ୍ଦ୍ରୀୟ ଲାଇନ ଅତିକ୍ରମ କରିଛି, ଯାହା ଦୀର୍ଘ ଦିନରୁ ଏକ ଅନୌପଚାରିକ ବଫର୍‌ ଜୋନ ଭାବେ ରହି ଆସିଛି। ସୂଚନାଯୋଗ୍ୟ, ଚାଇନା ତାଇୱାନକୁ ଏହାର ଅଞ୍ଚଳ ବୋଲି କହୁଥିବାବେଳେ ତାଇୱାନର ଅଧିକାଂଶ ଲୋକ ଶାସକ କମ୍ୟୁନିଷ୍ଟ ପାର୍ଟିର ନିୟନ୍ତ୍ରଣରେ ଆସିବାକୁ ବିରୋଧ କରୁଛନ୍ତି। ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଦେଶର ସଶସ୍ତ୍ର ବାହିନୀ ଚାଇନା କାର୍ଯ୍ୟକଳାପର ଜବାବ ଦେବା ପାଇଁ ପରିସ୍ଥିତି ଉପରେ ନଜର ରଖିଛନ୍ତି।

Share