ଜୈବିକ ଆକ୍ରମଣ ଆଶଙ୍କାରେ ତାଇଓ୍ବାନ

ତାଇପେଇ, ୨୧ା୮: ଚାଇନା-ତାଇଓ୍ବାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଥିବାବେଳେ ବେଜିଂ ଏହି ଦ୍ୱୀପରାଷ୍ଟ୍ର ଉପରେ ଜୈବିକ ଅସ୍ତ୍ର ପ୍ରୟୋଗ କରିପାରେ ବୋଲି ତାଇପେଇ ଆଶଙ୍କା କରିଛି। କରୋନା ଭୂତାଣୁ ଚାଇନାର ଉହାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଭାଇରୋଲୋଜିରୁ ସୃଷ୍ଟି କରାଯାଇଥିବା ଦାବି କରାଯାଉଥିବାବେଳେ ସେପରି କିଛି ଭାଇରସ୍‌ ବେଜିଂ ତାଇଓ୍ବାନ ଆକ୍ରମଣ ପାଇଁ ବ୍ୟବହାର କରିପାରେ। ଅଗଷ୍ଟ ୩ରେ ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ଚାଇନା ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛି। ସମରାଭ୍ୟାସ ସହ ବାରମ୍ବାର ବେଜିଂ ଯୁଦ୍ଧବିମାନ ଏବଂ ଜାହାଜ ତାଇଓ୍ବାନ ବାୟୁସୀମା ଓ ଜଳସୀମା ଲଂଘୁଛି। ଏସବୁ ସହ ଏବେ ତାଇଓ୍ବାନ କୌଣସି ଭୂତାଣୁ କିମ୍ବା ଜୀବାଣୁ ଆକ୍ରମଣ ସହ ଲଢ଼ିବା ପାଇଁ ମଧ୍ୟ ପ୍ରସ୍ତୁତି କରୁଛି। ଏହାକୁ ଦୃଷ୍ଟିରେ ରଖି ତାଇଓ୍ବାନ ସରକାର କୋଭିଡ୍‌ କଟକଣା କଡ଼ାକଡ଼ି କରିଛନ୍ତି।

କୋଭିଡ ଟେଷ୍ଟ ବାଧ୍ୟତାମୂଳକ ହୋଇଥିବାବେଳେ ବାହାରୁ ଖାଦ୍ୟସାମଗ୍ରୀ ଆମଦାନୀ ଉପରେ ନଜର ରଖାଯାଇଛି। ବାହାରୁ ଆସୁଥିବା ଯାତ୍ରୀ ସେମାନଙ୍କ ସ୍ବାସ୍ଥ୍ୟ ରିପୋର୍ଟ ଦେବାକୁ କୁହାଯାଇଛି। ଏକ ଫର୍ମରେ ସେମାନଙ୍କ ପରିଚୟ ଏବଂ କ୍ୱାରାଣ୍ଟାଇନ ଠିକଣା ଦେବାକୁ ପଡ଼ୁଛି। ଖାଦ୍ୟ ସାମଗ୍ରୀରେ ସ୍ବାଇନ୍‌ ଫ୍ଲୁ, ଏଚ୍‌୧ଏନ୍‌୧ ଭାଇରସ୍‌ ଏବଂ ଅନ୍ୟ ରୋଗସୃଷ୍ଟିକାରୀ ଭୂତାଣୁ ଓ ଜୀବାଣୁ ଥିବା ଆଶଙ୍କାରେ କୌଣସି ଯାତ୍ରୀଙ୍କୁ ତାଇଓ୍ବାନ ଏୟାରପୋର୍ଟକୁ ଖାଦ୍ୟ ଆଣିବାକୁ ବାରଣ କରାଯାଇଛି। ବିଦେଶୀ ନାଗରିକ ସ୍ଥାନୀୟ ସିମ୍‌ ନେବା ବାଧ୍ୟତାମୂଳକ। ତାଇଓ୍ବାନ ସେନା ରସାୟନିକ କିମ୍ବା ଜୈବିକ ଯୁଦ୍ଧର ମୁକାବିଲା କରିବା ପାଇଁ ସ୍ବତନ୍ତ୍ର ଭାବେ ତାଲିମ ନେଇଛନ୍ତି।

Share