ତାଇଓ୍ବାନ ଆଣିବ ଘାତକ କ୍ଷେପଣାସ୍ତ୍ର

ଓ୍ବାଶିଂଟନ୍‌, ୪ା୯: ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତକୁ ମାସେ ପୁରିଥିଲେ ହେଁ ବେଜିଂ ଓ ତାଇଓ୍ବାନ ମଧ୍ୟରେ ଉତ୍ତେଜନା ଥମିବାର ନାଁ ଧରୁନି। ଏହାଭିତରେ ଆମେରିକା-ତାଇଓ୍ବାନ ଯୁଦ୍ଧାସ୍ତ୍ର ଡିଲ୍‌ ଯୋଗୁ ଡ୍ରାଗନ୍‌ ଆହୁରି ଉତ୍ତେଜିତ ହୋଇଛି। ଶକ୍ତିଶାଳୀ ଚାଇନାର ମୁକାବିଲା ପାଇଁ ତାଇଓ୍ବାନ ପ୍ରସ୍ତୁତି ଚଳାଇଥିବାବେଳେ ଓ୍ବାଶିଂଟନ୍‌ଠାରୁ ପ୍ରାୟ ୧ ବିଲିୟନ ଡଲାର ମୂଲ୍ୟର ଘାତକ ଓ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଆଣିବାକୁ ଯାଉଛି। ଏଥିପାଇଁ ଆମେରିକା ଶୁକ୍ରବାର ୧.୦୯ ବିଲିୟନ ଡଲାର ଚୁକ୍ତିକୁ ମଞ୍ଜୁରୀ ଦେଇଛି। ଏଥିରେ ୩୫୫ ନିୟୁତ ଡଲାରର ବାୟୁରୁ ଜଳକୁ ନିକ୍ଷେପ କରିହେଉଥିବା ଘାତକ ହାର୍ପୁନ ମିଶାଇଲ, ୮୫ ନିୟୁତ ଡଲାର ମୂଲ୍ୟର ସାଇଡ୍‌ଓ୍ବିଣ୍ଡର, ୬୦ ଆଣ୍ଟିଶିପ୍‌ ମିଶାଇଲ ଆଦି ରହିଛି। ଓ୍ବାଶିଂଟନ୍‌ ଓ ତାଇଓ୍ବାନ ମଧ୍ୟରେ ସମ୍ଭାବ୍ୟ ଅସ୍ତ୍ର ବିକ୍ରି ଚୁକ୍ତି ଚାଇନା ଓ ଆମେରିକା ସମ୍ପର୍କ ଖରାପ କରିବା ସହ ତାଇଓ୍ବାନ ପ୍ରଣାଳୀରେ ଶାନ୍ତି, ସ୍ଥିରତା ଉପରେ ଗୁରୁତର ବିପଦ ସୃଷ୍ଟି କରୁଛି ବୋଲି ବେଜିଂ କହିଛି। ଏହାର ଜବାବ ଦିଆଯିବ ବୋଲି ଓ୍ବାଶିଂଟନ୍‌ରେ ଥିବା ଚାଇନା ଦୂତାବାସ ପକ୍ଷରୁ କୁହାଯାଇଛି।

ନିଜ ସାର୍ବଭୌମତ୍ୱ ଓ ଗଣତନ୍ତ୍ର ଉପରେ ବିପଦ ଆସିଲେ ତାଇପେଇ ଏହାର ଠିକ୍‌ ଜବାବ ଦେବ। ଏହି ପ୍ରତିରକ୍ଷା ସାମଗ୍ରୀ ଦେଶପାଇଁ ଜରୁରୀ ବୋଲି ତାଇଓ୍ବାନ ବହିର୍ବ୍ୟାପାର ମନ୍ତ୍ରଣାଳୟ କହିଛି। ଓ୍ବାନ ଚାଇନା ନୀତିର ଉଲ୍ଲଂଘନ କରା ନ ଯାଇ ଉପରୋକ୍ତ ଡିଲ୍‌ ହୋଇଥିବା ଆମେରିକା ପ୍ରଶାସନ କଂଗ୍ରେସକୁ ଜଣାଇଛି। ଏଥିସହ ତାଇଓ୍ବାନ ସୀମା ନିକଟରେ ଚାଇନା ସାମରିକ କାର୍ଯ୍ୟକଳାପ ଏବଂ ଏହା ଉପରେ କୂଟନୈତିକ ଓ ଆର୍ଥତ୍କ ଚାପ ପକାଇବା ବନ୍ଦ କରି ଆଲୋଚନା ମାଧ୍ୟମରେ ବିବାଦ ସମାଧାନ କରିବାକୁ ଆମେରିକା ଅନୁରୋଧ କରିଛି। ପ୍ରକାଶଥାଉ କି, ୧୯୪୯ ଗୃହଯୁଦ୍ଧ ପରଠାରୁ ଚାଇନା ତାଇଓ୍ବାନକୁ ନିଜ ଭୂଖଣ୍ଡ ବୋଲି ଦାବି କରିଆସୁଛି। ତାଇପେଇ ସହ ଚାଇନା ସରକାର କୌଣସି ଔପଚାରିକ ସମ୍ପର୍କ ରଖି ନ ଥିବାବେଳେ ୨୦୧୬ରେ ସାଇ ଇଙ୍ଗ୍‌-ଓ୍ବେନ୍‌ ତାଇଓ୍ବାନ ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସମସ୍ତ ପ୍ରକାର ଅନୌପଚାରିକ ସମ୍ପର୍କ ମଧ୍ୟ କାଟିଦେଇଛି।

Share