ତାଇପେ,୨।୩ : ଚାଇନାକୁ କଡ଼ା ଜବାବ ଦେବାକୁ ତାଇଓ୍ବାନ ଏବଂ ଆମେରିକା ଯୋଜନା କରିଛନ୍ତି। ତାଇୱାନକୁ ୬୧୯ ମିଲିୟନ ଡଲାର ମୂଲ୍ୟର ଅସ୍ତ୍ର ବିକ୍ରି କରିବା ପ୍ରସ୍ତାବକୁ ଆମେରିକା ଅନୁମୋଦନ କରିଛି। ଏହା ଅଧୀନରେ ତାଇୱାନ ବର୍ତ୍ତମାନ ଏଫ-୧୬ ଫ୍ଲାଇଟ କ୍ଷେପଣାସ୍ତ୍ର ପାଇବାକୁ ସକ୍ଷମ ହେବ। ଆମେରିକାର ପଦକ୍ଷେପ ଏପରି ଏକ ସମୟରେ ଆସିଛି ଯେତେବେଳେ ଚାଇନା ବାୟୁସେନା ଯୁଦ୍ଧ ବିମାନ ତାଇୱାନର ଆକାଶ ସୀମାକୁ ଉଲ୍ଲଂଘନ କରିଛି। ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କ ମଧ୍ୟ ତିକ୍ତ ହେବା ଜାରି ରହିଛି। ଏଭଳି ପରିସ୍ଥିତିରେ ତାଇୱାନକୁ ଅସ୍ତ୍ର ବିକ୍ରୟ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ତିକ୍ତ କରିପାରେ। ତାଇୱାନକୁ ଯେକୌଣସି ପ୍ରକାର ଅସ୍ତ୍ର ବିକ୍ରୟକୁ ଚାଇନା ବିରୋଧ କରେ।
ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ କହିଛି ଯେ ତାଇୱାନକ ୨୦୦ ଆଣ୍ଟି-ଏୟାରକ୍ରାଫ୍ଟ ଉନ୍ନତ ମଧ୍ୟମ ରେଞ୍ଜ ଏୟାର-ଟୁ-ଏୟାର ମିଜାଇଲ ଏବଂ ୧୦୦ ଏଜିଏମ-୮୮ ବି ଏଚଏଆରଏମ କ୍ଷେପଣାସ୍ତ୍ର ବିକ୍ରୟ କରିବାକୁ ଆମେରିକା ସରକାର ନିଷ୍ପତ୍ତି ନେଇଛନ୍ତି। ସର୍ବଶେଷ ଚୁକ୍ତି ତାଇୱାନକୁ ଏହାର ଆକାଶ ସୀମା ରକ୍ଷା କରିବାରେ ସାହାଯ୍ୟ କରିବ। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ ଏହି କ୍ଷେପଣାସ୍ତ୍ରଗୁଡିକ ପ୍ରାପ୍ତ ହେବା ସହିତ ଆମେ ଆମର ଆକାଶମାର୍ଗ ସୀମାକୁ ସୁରକ୍ଷା ଦେଇପାରିବୁ ଏବଂ ଚାଇନା ସେନାର ଉତ୍ତେଜନାମୂଳକ କାର୍ଯ୍ୟାନୁଷ୍ଠାନର ଜବାବ ଦେବାକୁ ସକ୍ଷମ ହେବୁ।