ବେଜିଂ/ତାଇପେଇ ସିଟି,୨୪।୪ : ତାଇୱାନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଚାଇନା ଏବଂ ତାଇୱାନ ମଧ୍ୟରେ ଆର୍ଥିକ ସମ୍ପର୍କରେ କ୍ରମାଗତ ହ୍ରାସ ଘଟୁଛି। ଚାଇନାରେ ବ୍ୟବସାୟ କରୁଥିବା ଅନେକ ତାଇୱାନ ସଂସ୍ଥା ଚାଇନା ଛାଡି ପଳାଇବା ଆରମ୍ଭ କରିଛନ୍ତି। ଚାଇନା ଏବଂ ହଂକଂକୁ ତାଇୱାନର ବୈଦ୍ୟୁତିକ ଉତ୍ପାଦ ରପ୍ତାନିର ଅଭିବୃଦ୍ଧି ହାର ୨୦୨୦ ଏବଂ ୨୦୨୧ ରେ ୨୪ ପ୍ରତିଶତ ଥିଲା। ୨୦୨୨ରେ ଏହା ୧୧ ପ୍ରତିଶତକୁ ଖସି ଆସିଛି।
୨୦୧୮-୧୯ ପରେ ଚାଇନାରେ ତାଇୱାନ କମ୍ପାନୀଗୁଡିକର ବିନିଯୋଗ ୫୦ ପ୍ରତିଶତକୁ ଖସି ଆସିଛି। ଏହି ହ୍ରାସର ମୁଖ୍ୟ କାରଣ ହେଉଛି ଚାଇନା ପାଇଁ ଆମେରିକାର ବାଣିଜ୍ୟ ନୀତିରେ କ୍ରମାଗତ ପରିବର୍ତ୍ତନ। ଚାଇନାର ଅର୍ଥନୀତି ମନ୍ତ୍ରଣାଳୟ ସହିତ ଜଡିତ ନିବେଶ ସମୀକ୍ଷା ଆୟୋଗର ଏକ ନୂତନ ତଥ୍ୟ ଅନୁଯାୟୀ ତାଇୱାନର ନିବେଶ ଚଳିତ ବର୍ଷର ପ୍ରଥମ ତ୍ରୟମାସରେ ୧୦.୪୦ ପ୍ରତିଶତ ହ୍ରାସ ହୋଇ ୭୫୮ ମିଲିୟନ ଡ଼ଲାରରେ ପହଞ୍ଚିଛି। ଆଗାମୀ ଦିନରେ ତାଇୱାନର ନିବେଶ ୧୪ ପ୍ରତିଶତକୁ ଖସି ଆସିପାରେ ବୋଲି ଆଶଙ୍କା ଦେଖାଦେଇଛି। ତାଇୱାନ କମ୍ପାନୀଗୁଡିକ ପାରମ୍ପାରିକ ଭାବରେ ଚାଇନାର ବୃହତ୍ତମ ନିବେଶକମାନଙ୍କ ମଧ୍ୟରୁ ଅନ୍ୟତମ।