ଜୈବ ସୁରକ୍ଷା କେନ୍ଦ୍ର ବିକାଶ କରିବାକୁ ତାଇଓ୍ବାନର ଘୋଷଣା, ଜୈବିକ ଅସ୍ତ୍ର ପ୍ରସ୍ତୁତି କରିବା ଆଶଙ୍କା…

ତାଇପେ,୧୬।୭ : ଜୈବିକ ଯୁଦ୍ଧ ବିରୁଦ୍ଧରେ ପ୍ରତିରକ୍ଷାକୁ ମଜବୁତ କରିବା ପାଇଁ ତାଇୱାନ ଜୈବ ନିରାପତ୍ତା ଅନୁସନ୍ଧାନ ଏବଂ ବିକାଶ କେନ୍ଦ୍ର ଗଠନ ପାଇଁ ଯୋଜନା ସମ୍ପର୍କରେ ଘୋଷଣା କରିଛି। ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଜୈବିକ ଅସ୍ତ୍ର ପ୍ରସ୍ତୁତି କରିବା ଆଶଙ୍କା ବୃଦ୍‌ଦି ପାଇଛି। ତେବେ ଏହି ପ୍ରକଳ୍ପରେ ଜୈବିକ ଅସ୍ତ୍ର ବିକଶିତ ହେବ ନାହିଁ ବୋଲି ଜୋର ଦିଆଯାଇଛି। ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ନିକଟ ଅତୀତରେ ଅତ୍ୟଧିକ ସଂକ୍ରାମକ ଭୁତାଣୁ ବୃଦ୍ଧି ଯୋଗୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଏଥିସହ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଆମେରିକାର ନିର୍ଦ୍ଦେଶରେ ଜୈବିକ ଅସ୍ତ୍ରଶସ୍ତ୍ର ବିକଶିତ କରିବାକୁ କୁହାଯାଇଥିବା ରିପୋର୍ଟକୁ ଖଣ୍ଡନ କରିଛି। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେଉଁ କେନ୍ଦ୍ରଗୁଡିକ ଯୋଜନା କରାଯାଇଛି ସେସବୁ ମନ୍ତ୍ରଣାଳୟର ମେଡିକାଲ ବ୍ୟାପାର ବ୍ୟୁରୋ ଦ୍ୱାରା ନିର୍ମିତ ହେବ। ଏହା ଦ୍ୱୀପପୁଞ୍ଜରେ ମହାମାରୀକୁ ରୋକିବା ଦକ୍ଷତା ବୃଦ୍ଧି କରିବ।

ଆଣବିକ ଏବଂ ଜୈବିକ ଯୁଦ୍ଧର ମୁକାବିଲା ପାଇଁ ସେନା ପ୍ରତିରକ୍ଷା ଓ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟର ଚିକିତ୍ସା ବ୍ୟାପାର ମୁଖପାତ୍ର ୟାଙ୍ଗ ଚୁଙ୍ଗ କହିଛନ୍ତି। ଜାତୀୟ ପ୍ରତିରକ୍ଷା ମେଡିକାଲ ଦ୍ୱାରା ପି-୪ ଲ୍ୟାବ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଉଛି ମୁଖ୍ୟତଃ ରୋଗ ଏବଂ ମହାମାରୀର ରୋଗ ଚିହ୍ନଟ କରିବା ଯାହା ଦ୍ୱାରା ଏହାର ପ୍ରତିରୋଧ କରାଯାଇପାରିବ।

ସେ କହିଛନ୍ତି ସାମରିକ ବ୍ୟବହାର ପାଇଁ ଆମେ କଦାପି ଜୈବିକ ଏଜେଣ୍ଟ ବିକାଶ, ଉତ୍ପାଦନ, ସଂରକ୍ଷଣ କରିବୁ ନାହିଁ। ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ମଧ୍ୟ ଏହି ରିପୋର୍ଟକୁ ମିଥ୍ୟା ଏବଂ ମନଗଢ଼ା ବୋଲି କହିଛନ୍ତି। ବାୟୋ ଅସ୍ତ୍ରଶସ୍ତ୍ରର ବିକାଶ ଉପରେ ଆଲୋଚନା ପାଇଁ କୌଣସି ବୈଠକ ଅନୁଷ୍ଠିତ ହୋଇନାହିଁ।

Share