Categories: ଜାତୀୟ

ଦୀର୍ଘ ୬ ମାସ ପରେ ଖୋଲିଲା ତାଜମହଲ: ପ୍ରଥମେ ଆସିଲେ ଚାଇନା ଅତିଥି

ଆଗ୍ରା,୨୧ ।୯: କରୋନା ଭାଇରସ ସଂକ୍ରମଣ ଯୋଗୁ ପାଖାପାଖି ୬ ମାସ ହେବ ବନ୍ଦ ହୋଇ ରହିଥିଲା ତାଜମହଲ । ଏବେ ତାଜମହଲ ଖୋଲିଥିବା ବେଳେ କରୋନା କଟକଣା ମାନି ପର୍ଯ୍ୟଯକଙ୍କୁ ଭିତରକୁ ଯିବାକୁ ଅନୁମତି ପ୍ରଦାନ କରାଯାଉଛି । ସୋମବାର ତାଜମହଲ ଖୋଲିବା ପରେ ଜଣେ ଚାଇନା ପର୍ଯ୍ୟଟକ ପ୍ରଥମେ ତାଜମହଲ ପରିଦର୍ଶନ କରିବାକୁ ଯାଇଥିବା କୁହାଯାଉଛି । ଏଠାକାର ଟିକେଟ କାଉଣ୍ଟର ବନ୍ଦ ଥିବା ବେଳେ ଅନ୍‌ଲାଇନରେ ଟିକେଟ କରିବାକୁ ପଡୁଛି । ତାଜମହଲର କବର କକ୍ଷରେ ଏକାଥରେ କେବଳ ୫ ଜଣ ପ୍ରବେଶ କରିବାକୁ ଅନୁମତି ପ୍ରଦାନ କରାଯାଉଛି । ଡିଜିଟାଲ ମାଧ୍ୟମରେ ଏଠାରେ ସମସ୍ତ କାର୍ଯ୍ୟ କରାଯାଉଛି । ତାଜମହଲ ତିଆରି ହେବା ଦିନରୁ ଇତିହାସରେ ପ୍ରଥମଥର ଲାଗି ୧୭ ମାର୍ଚ୍ଚ ୨୦୨୦ରୁ ୨୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ରହିଥିଲା । ତାଜମହଲ ପରିସରରେ ସୋସିଆଲ ଡିଷ୍ଟାନସିଂ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଏଥିରୁ ଅନୁମାନ କରାଯାଉଛି କି ଭାରତୀୟ ଏବେ କରୋନା ଭାଇରସ ସହ ମିଶି ଚଳିବା ଶିଖିଗଲେଣି । ଏବେ ସେଠାରେ ଏକାଠି ହୋଇ ଫଟୋ ଉଠାଇବାକୁ ମଧ୍ୟ ଅନୁମତି ମିଳି ନାହିଁ । ଏହାସହ ସେଠାକାର, ରେଲିଂ, ପ୍ରାଚୀରକୁ ମଧ୍ୟ ଛୁଇଁବାକୁ ବାରଣ କରାଯାଇଛି । ମଝିରେ ମଝିରେ ତାଜମହଲ ପରିସରକୁ ସାନିଟାଇଜ କରାଯାଉଛି । ଏବେ ଗୋଟିଏ ଦିନରେ ପାଖାପାଖି ୫ ହଜାର ପର୍ଯ୍ୟଟକ ତାଜମହଲ ପରିଦର୍ଶନ କରିବାର ଯୋଜନା ରହିଛି ।

Share