ଓ୍ବାର୍‌ ରୁମ୍‌ କରି ବିଭିନ୍ନ ଯୋଜନାର ତଥ୍ୟ ନିଅ

ଭୁବନେଶ୍ୱର, ୨୧ା୩(ସୁନିତ୍‌ ମିଶ୍ର)ପୁରୀ ଏବଂ କେନ୍ଦ୍ରାପଡ଼ା ଲୋକ ସଭା ଆସନ ଓ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ର ନେଇ ନିକଟରେ ବିଜେଡି ଶୀର୍ଷ ନେତୃତ୍ୱ ନବୀନ ନିବାସରେ ସମୀକ୍ଷା କରିଥିବା ବେଳେ ବୁଧବାର ଆଉ ୨ ଲୋକ ସଭା ଆସନ ଅନ୍ତର୍ଗତ ନେତାଙ୍କ ସହ ଦଳ ବୈଠକ କରିଛି। ଲୋକ ସଭା ଆସନ ଓ୍ବାରି ଦଳ ପକ୍ଷରୁ ସମୀକ୍ଷା କରାଯାଉଛି। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେଡିରେ ଏଭଳି ଢଙ୍ଗରେ କସରତ ଜାରି ରହିଛି। ବୁଧବାର କୋରାପୁଟ ଓ ନବରଙ୍ଗପୁର ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ବିଧାନସଭା କ୍ଷେତ୍ରଗୁଡ଼ିକରେ ଦଳର ସାଙ୍ଗଠନିକ ସ୍ଥିତି ବିଷୟରେ ଆଲୋଚନା କରାଯାଇଛି।
ଅନୁଯାୟୀ, ବୁଧବାର ପୂର୍ବାହ୍ନରେ ପ୍ରଥମେ କୋରାପୁଟ ଏବଂ ଅପରାହ୍ନରେ ନବରଙ୍ଗପୁର ଲୋକ ସଭା ଆସନ ଏବଂ ଏହା ଅଧୀନରେ ଥିବା ବିଧାନସଭା କ୍ଷେତ୍ରଗୁଡିକ ସମ୍ପର୍କରେ ସମୀକ୍ଷା କରାଯାଇଛି। ବିଜେଡିକୁ କିଭଳି ଆସନ୍ତା ନିର୍ବାଚନରେ ଅଧିକ ସଫଳତା ମିଳିବ, ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଏହାସହ ସବୁ ବିଧାନସଭା କ୍ଷେତ୍ରଓ୍ବାରି ଦଳ ତରଫରୁ ଓ୍ବାର୍‌ ରୁମ୍‌ ପ୍ରସ୍ତୁତ କରି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କୁ ଟେଲିଫୋନ କରି କଥା ହେବାକୁ କୁହାଯାଇଛି। ଏହାସହ କେଉଁମାନେ କେଉଁ ଯୋଜନା ପାଇଛନ୍ତି, କେଉଁମାନେ କିଛି ପାଇବାରୁ ବଞ୍ଚିତ ଅଛନ୍ତି ଆସନ୍ତା ୧୫ ଦିନ ମଧ୍ୟରେ ତା’ର ତାଲିକା ପ୍ରସ୍ତୁତ କରିବାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ଏହାସହ କେଉଁ ଆସନରେ ଯଦି କିଛି ନେତାମାନଙ୍କ ମଧ୍ୟରେ ମତଭେଦ ରହିଛି ତାକୁ ମଧ୍ୟ ଏହି ଅବସରରେ ଦୂରକରିବାକୁ ଚେଷ୍ଟା କରାଯାଉଛି। ଏହି ନିର୍ବାଚନମଣ୍ଡଳୀଗୁଡିକରେ ସାମ୍ପ୍ରତିକ ସ୍ଥିତି ଦଳର କିଭଳି ରହିଛି ଏବଂ ଆଗକୁ ରଣନୀତି କ’ଣ ରହିବ, ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ତୁରନ୍ତ ନିର୍ବାଚନମଣ୍ଡଳୀକୁ ଯାଇ ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୨୦୧୯ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନରେ କଂଗ୍ରେସ ବିଜୟୀ ହୋଇଥିଲା। ଏଥର ବିଜେଡି କିପରି ସେଠାରେ ଭଲ ପ୍ରଦର୍ଶନ କରିବ, ସେନେଇ ମାନସମନ୍ଥନ ହୋଇଛି। ସେହିପରି ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ଦଳର ରଣନୀତି ବିଷୟରେ ଆଲୋଚନା ହୋଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌, ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କୋରାପୁଟ ଓ ନବରଙ୍ଗପୁର ଜିଲା ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ।

Share