ଭୁବନେଶ୍ୱର, ୨୮।୮(ବ୍ୟୁରୋ): ରାଜ୍ୟରେ ନକଲି କୋଭିଶିଲ୍ଡ ଟିକା ପ୍ରତି ନଜର ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାର ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ପ୍ରଦୀପ୍ତ ମହାପାତ୍ର ଉଲ୍ଲେଖ କରିଛନ୍ତି ଯେ, ନକଲି କୋଭିଶିଲ୍ଡ ଟିକା ନେଇ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍ଓ) ସତର୍କ କରିଛି। ଆଫ୍ରିକା ଓ ଦକ୍ଷିଣ-ପୂର୍ବ ଏସିଆରେ ନକଲି କୋଭିସିଲ୍ଡ ଠାବ ହୋଇଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧିକ ସଜାଗ ହେବାକୁ କହିଛି। ତେଣୁ ଟିକା ବ୍ୟବହାର ପୂର୍ବରୁ ଉତ୍ପାଦ ଓ ସପ୍ଲାଏ ଚେନ୍ ପ୍ରତି ସତର୍କ ଦୃଷ୍ଟି ଦେବାକୁ କୁହାଯାଇଛି। ନକଲି କୋଭିଶିଲ୍ଡ ଟିକା ନଜରକୁ ଆସିଲେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଦୀପ୍ତ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।