ନୂଆଦିଲ୍ଲୀ, ୪।୪(ପି.ଟି.): ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ରାଜନୈତିକ ଇଚ୍ଛାଶକ୍ତିର କୌଣସି ଅଭାବ ନାହିଁ। ଦୁର୍ନୀତିଗ୍ରସ୍ତ ଯେତେ କ୍ଷମତାଶାଳୀ ହୁଅନ୍ତୁ ନା କାହିଁକି, ନିଃସଙ୍କୋଚରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିବିଆଇ ଅଧିକାରୀମାନଙ୍କୁ ଆହ୍ବାନ ଦେଇଛନ୍ତି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ହୀରକ ଜୟନ୍ତୀ ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଭାରତକୁ ଦୁର୍ନୀତିମୁକ୍ତ କରିବାରେ ଏହି ତଦନ୍ତକାରୀ ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ଗଣତନ୍ତ୍ର ଓ ନ୍ୟାୟ ରାସ୍ତାରେ ଦୁର୍ନୀତି ସବୁଠୁ ବଡ଼ ପ୍ରତିବନ୍ଧକ। ଛବି ମଳିନ କରିବାକୁ ଉଦ୍ୟମ କରୁଥିବା ଲୋକଙ୍କ ପାଇଁ ସିବିଆଇ ବିଚଳିତ ହେବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦୁର୍ନୀତିକୁ ଆଦୌ ବରଦାସ୍ତ କରାଯିବ ନାହଁ, ଏହା ଦେଶବାସୀଙ୍କ ଇଚ୍ଛା। ବହୁ ଦଶନ୍ଧି ଧରି ଦୁର୍ନୀତିରୁ ଫାଇଦା ଉଠାଇଥିବା ଲୋକମାନେ ଏଭଳି ପରିବେଶ ସୃଷ୍ଟି କରିଛନ୍ତି ଯାହା ତଦନ୍ତକାରୀ ସଂସ୍ଥାକୁ ଅଡ଼ୁଆରେ ପକାଉଛି। ତେବେ ଦୁର୍ନୀତିଗ୍ରସ୍ତଙ୍କ କଥାରେ ବିଚଳିତ ହୋଇ ସିବିଆଇ ନିଜ କର୍ତ୍ତବ୍ୟରୁ ଦୂରେଇ ଯିବା ଉଚିତ ନୁହେଁ ବୋଲି ମୋଦି କହିଛନ୍ତି।