ଅନାଥ, ଅବହେଳିତ ଶିଶୁଙ୍କ ଯତ୍ନ ନିଅ

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ଅନାଥ, ଅବହେଳିତ ଏବଂ ଯେଉଁ ପିଲାମାନଙ୍କ ମାତାପିତା କୋଭିଡ୍‌ କେୟାର ସେଣ୍ଟର(ସିସିସି)ରେ ଚିକିତ୍ସିତ ହେଉଛନ୍ତି, ସେହି ପିଲାମାନଙ୍କ ଉପଯୁକ୍ତ ଯତ୍ନ ନେବା ଲାଗି ରାଜ୍ୟ ସରକାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ସୋମବାର ସମନ୍ବିତ ଶିଶୁ ବିକାଶ ଯୋଜନା(ଆଇସିଡିଏସ୍‌) ଏବଂ ସାମାଜିକ ମଙ୍ଗଳ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରଓ୍ବାଲ ଏ ନେଇ ଚିଠି ଲେଖିଛନ୍ତି। ପ୍ରତ୍ୟେକ ଜିଲାରେ ଅତିକମ୍‌ରେ ଗୋଟିଏ ଶିଶୁ ଯତ୍ନ ପ୍ରତିଷ୍ଠାନ ଚିହ୍ନଟ କରିବା ଲାଗି ଜିଲାପାଳମାନଙ୍କୁ କୁହାଯାଇଛି। କୋଭିଡ-୧୯ ମହାମାରୀ ସମୟରେ ଅବହେଳିତ ଶିଶୁମାନଙ୍କ ପ୍ରାଥମିକତାଭିତ୍ତିରେ ଯତ୍ନ ନେବା ଲାଗି ପରାମର୍ଶ ଦିଆଯାଇଛି। ସିସିସି କିମ୍ବା ସଙ୍ଗରୋଧରେ ଥିବା ମାତାପିତାଙ୍କ ଫେରିବା ପର୍ଯ୍ୟନ୍ତ ଚିହ୍ନଟ ଶିଶୁ ଯତ୍ନ ପ୍ରତିଷ୍ଠାନରେ ଥିବା ପିଲାଙ୍କ ଅନ୍ତରୀଣ ଉପଯୁକ୍ତ ଯତ୍ନ ନେବା ପାଇଁ କୁହାଯାଇଛି। ଏଥିସହିତ ସମସ୍ତ ଚିକିତ୍ସାଳୟ ଏବଂ ଜିଲାରେ ଥିବା ସିସିସିରେ ପିଲାମାନଙ୍କ ଲାଗି ସମସ୍ତ ପ୍ରକାର ସୁବିଧା କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି। ହସ୍ପିଟାଲ ଓ ସିସିସିରେ ଶିଶୁ ଯତ୍ନ ପ୍ରତିଷ୍ଠାନ ଏବଂ ଚାଇଲ୍ଡଲାଇନ୍‌ ନଂ.୧୦୯୮କୁ ଉପଯୁକ୍ତ ଭାବେ ପ୍ରଦର୍ଶନ କରିବା ପାଇଁ କୁହାଯାଇଛି। ଶିଶୁ ଯତ୍ନ ଅନୁଷ୍ଠାନଗୁଡ଼ିକୁ ପ୍ରାଥମିକତାଭିତ୍ତିରେ ଅକ୍ସିମିଟର, ମୋବାଇଲ ଫୋନ୍‌ ଏବଂ ଥର୍ମାଲ୍‌ ସ୍କାନର ଯୋଗାଇ ଦେବାକୁ ଜିଲା ଶିଶୁ ସୁରକ୍ଷା ଅଧିକାରୀ(ଡିସିପିଓ)ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Share