କିଶୋରାବସ୍ଥାରେ ଏପରି ନିଅନ୍ତୁ ପିଲାମାନଙ୍କ ସ୍ବାସ୍ଥ୍ୟର ଯତ୍ନ: ଖାଦ୍ୟରେ ସାମିଲ କରନ୍ତୁ ଏସବୁ…

ଶରୀରର ସାମଗ୍ରିକ ବିକାଶ ପାଇଁ ଖାଦ୍ୟରେ ସମସ୍ତ ପୋଷକତତ୍ତ୍ୱ ରହିବା ଅତ୍ୟନ୍ତ ଆବଶ୍ୟକ। କାରଣ ପୋଷକତତ୍ତ୍ୱ ଦ୍ୱାରା ଶରୀରର ବିକାଶ ସାଙ୍ଗକୁ ଉଚ୍ଚତା ମଧ୍ୟ ବୃଦ୍ଧି ପାଇଥାଏ। ଏପରି ପରିସ୍ଥିତିରେ ଅଭିଭାବକମାନେ କିଶୋରାବସ୍ଥାରେ ନିଜ ପିଲାମାନଙ୍କର ଖାଦ୍ୟ ଓ ପାନୀୟ ଉପରେ ବିଶେଷ ଯତ୍ନ ନେବା ଆବଶ୍ୟକ।
ଶରୀରର ସାମଗ୍ରିକ ବିକାଶ ପାଇଁ ସାଧାରଣ ଖାଦ୍ୟରେ ଫଳ ଏବଂ ପତ୍ରଯୁକ୍ତ ପନିପରିବାର ବିଶେଷ ଗୁରୁତ୍ୱ ରହିଛି। ପାଳଙ୍ଗ, କୋବି ପରି ପତ୍ରଯୁକ୍ତ ପନିପରିବାରେ ମଧ୍ୟ ଅନେକ ପୋଷକତତ୍ତ୍ୱ ଥାଏ। ଭିଟାମିନ ସି, କ୍ୟାଲସିୟମ୍‌, ଆଇରନ୍‌ ଏବଂ ମାଗ୍ନେସିୟମ ଯଥେଷ୍ଟ ପରିମାଣରେ ରହିଥାଏ। ବିଶେଷଜ୍ଞଙ୍କ ଅନୁସାରେ, ଆମକୁ ଖାଦ୍ୟରେ ସନ୍ତୁଳନ ରକ୍ଷା କରିବା ଉଚିତ୍‌। ଯାହାଦ୍ୱାରା ସମସ୍ତ ପୋଷକତତ୍ତ୍ୱ ମିଳିପାରିବ।
କିଶୋରଙ୍କ ଖାଦ୍ୟରେ କନ୍ଦମୁଳ ସାମିଲ କରିବା ଗୁରୁତ୍ୱପୂର୍ଣ୍ଣ। ଏଥିରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ ଥାଏ, ଯାହା ହାଡକୁ ମଜବୁତ କରିଥାଏ। ଉଚ୍ଚତା ବୃଦ୍ଧି କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ଏହା ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ।
ସେହିପରି ଅଣ୍ଡା ହେଉଛି ପୁଷ୍ଟିକର ଖାଦ୍ୟ। ଏଥିରୁ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ ମିଳିଥାଏ। ଏହା ଦ୍ୱାରା ଶୀଘ୍ର ଶରୀରର ବିକାଶ ହୋଇଥାଏ। ଏହା ହାଡକୁ ଶକ୍ତିଶାଳୀ କରିଥାଏ।
ଏକ ସର୍ଭେରୁ ଏହା ଜଣାପଡ଼ିଛି ଯେ, ଅଣ୍ଡା ଖାଉଥିବା ପିଲାଙ୍କର ଅଧିକ ଦ୍ରୁତ ଗତିରେ ବିକାଶ ହୋଇଥାଏ। ଏଥିସହ ଶରୀର ପାଇଁ ବାଦାମ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ବାଦାମ ଖାଇବା ଦ୍ୱାରା ପିଲାମାନଙ୍କ ମସ୍ତିଷ୍କ ପ୍ରଖର ହୋଇଥାଏ।