ଠିକ୍‌ ଭାବେ କରନ୍ତୁ ଶିଶୁର ଦେଖାଶୁଣା

ଶିଶୁମାନଙ୍କର ଠିକ୍‌ ଭାବେ ଯତ୍ନ ନ ନେଲେ ସେମାନଙ୍କର ବହୁ ପ୍ରକାରର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଯଦି ପ୍ରଥମକରି ମାଆ ହୋଇଥାନ୍ତି ତେବେ ପିଲାମାନଙ୍କର ଯତ୍ନ କିପରି ନେବେ ଜାଣିରଖନ୍ତୁ…
ପିଲାମାନେ ବହୁତ ଥର ପରିସ୍ରା କରିଥାନ୍ତି। ତେଣୁ ମଝିରେ ମଝିରେ ସେମାନଙ୍କର ଡାଇପର୍‌ ଚେକ୍‌ କରନ୍ତୁ। ଡାଇପର୍‌ ଓଦା ହୋଇଗଲେ ତୁରନ୍ତ ବଦଳାଇ ଦିଅନ୍ତୁ। ଡାଇପର ବଦଳାଇବା ପରେ ଶିଶୁର ତ୍ୱଚାକୁ ଭଲଭାବେ ସଫା କରି ଶୁଖିବାକୁ ଦିଅନ୍ତୁ। ଏଥିପାଇଁ ୱାଇପ୍‌ସ ବା ବେବି ଲୋଶନ ବ୍ୟବହାର କରିପାରିବେ।
ଲଗାତର ଡାଇପର ପିନ୍ଧିବା ଦ୍ୱାରା ଯଦି ଶିଶୁର ନାଲି ଦାଗ ହୋଇଯାଇଥାଏ ତେବେ ଭଲ କ୍ରିମ୍‌ ବ୍ୟବହାର କରନ୍ତୁ।
ଶିଶୁ ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କସମେଟିକ୍‌ ଆଣିବା ପୂର୍ବରୁ ତାହା ଯେପରି ଶିଶୁର ତ୍ୱଚାରେ ଖରାପ ପ୍ରଭାବ ପକାଉ ନ ଥିବ ସେଥିପ୍ରତି ଧ୍ୟାନ ଦେବେ। ସାବୁନ ଓ ଶାମ୍ପୁ ବ୍ୟବହାର ସମୟରେ ଶିଶୁର ଆଖିରେ ଯେପରି ନ ପଶେ ସେଥିପ୍ରତି ବିଶେଷ ଧ୍ୟାନ ଦେବେ।
ଶିଶୁର ମାଲିସ୍‌ ସମୟରେ ହାଲ୍‌କା ଭାବରେ କରନ୍ତୁ। କେଉଁ ସମୟରେ ଓ କେତେବେଳେ ମାଲିସ୍‌ କରିବାକୁ ହେବ ସେନେଇ ଭଲଭାବେ ଜାଣି ରଖନ୍ତୁ। ଶିଶୁକୁ ଗାଧୋଇଦେବା ପୂର୍ବରୁ ମାଲିସ୍‌ କରିଲେ ଭଲ। ସ୍ନାନ ନିମନ୍ତେ ଥିବା ପାଣିକୁ ବେଶି ଗରମ କରନ୍ତୁ ନାହିଁ।
ଶିଶୁର ଖାଇବା ପିଇବା ସହିତ ତା’ର ଓଜନ ଉପରେ ନଜର ରଖନ୍ତୁ। ଏହା ସହିତ ଶିଶୁର ଠିକ୍‌ ସମୟରେ ଟିକାକରଣ କରନ୍ତୁ। କୌଣସି ପ୍ରକାରର ପରିବର୍ତ୍ତନ ଲକ୍ଷ୍ୟ କଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।