ଆମଠୁ ଟିକସ ନିଅ

ଡାଭୋସ୍‌, ୨୦ା୧: କୋଭିଡ୍‌ ମହାମାରୀବେଳେ ବିଶ୍ୱରେ ବିତ୍ତଶାଳୀଙ୍କ ସମ୍ପତ୍ତି ବହୁଗୁଣିତ ହୋଇଥିବା ଏବଂ ସେମାନଙ୍କଠାରୁ ଅତିରିକ୍ତ ଟିକସ ଆଦାୟ କରି ତାହାକୁ ଉନ୍ନତିମୂଳକ କାର୍ଯ୍ୟରେ ଲଗାଯିବା ସମ୍ପର୍କିତ ଏକ ରିପୋର୍ଟ ନିକଟରେ ଓ୍ବାଲର୍‌ଡ ଇକୋନୋମିକ୍‌ ଫୋରମ(ଡବ୍ଲ୍ୟୁଇଏଫ୍‌)ରେ ଅକ୍ସଫାମ ପକ୍ଷରୁ ପ୍ରକାଶ ପାଇଥିଲା। ଏହାକୁ ନେଇ ଶହେରୁ ଊର୍ଦ୍ଧ୍ୱ ମିଲିୟନେୟାର ଡବ୍ଲ୍ୟୁଇଏଫ୍‌କୁ ଖୋଲା ଚିଠି ଲେଖି ସେମାନଙ୍କ ନିକଟରୁ ଟିକସ ଆଦାୟ କରିବାକୁ କହିଛନ୍ତି।
ଉତ୍ତରାଧିକାରୀ ଆବିଗଲି ଡିସ୍‌ଙ୍କ ସମେତ ଚିଠି ଲେଖିଥିବା ୧୦୨ ବିତ୍ତଶାଳୀଙ୍କ ମତରେ, ସମ୍ପ୍ରତି ପ୍ରଚଳିତ ଟିକସ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅନୁଚିତ। ଏହା କେବଳ ଜଣେ ଧନୀକୁ ଆହୁରି ଧନୀ କରିବା ପାଇଁ ଉଦ୍ଦିଷ୍ଟ। ସମସ୍ତ ଦେଶ ବିତ୍ତଶାଳୀଙ୍କ ନିକଟରୁ ଉଚିତ ଟିକସ ଆଦାୟ କରିବା ଦରକାର। ଏବେ ହିଁ ଧନିକ ଗୋଷ୍ଠୀଙ୍କଠାରୁ ଟାକ୍ସ ଆଦାର କର ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏହି ଚିଠିରେ ଆମେରିକା, କାନାଡା, ଜର୍ମାନୀ, ବ୍ରିଟେନ, ଡେନମାର୍କ, ନରଓ୍ବେ, ଅଷ୍ଟ୍ରିଆ, ନେଦରଲାଣ୍ଡ୍‌ସ, ଇରାନ ଆଦି ଦେଶର ମିଲିୟନେୟାରଙ୍କ ଦସ୍ତଖତ ରହିଛି। ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରେ କେତେ ସମ୍ପତ୍ତି ରହିଛି ସେହି ଅନୁସାରେ ଟିକସ ଆଦାୟ କରାଯିବାକୁ ଏହି ଗ୍ରୁପ୍‌ର ମିଲିୟନେୟାର ପରାମର୍ଶ ଦେଇଛନ୍ତି। ଯେପରି ୫ ମିଲିୟନ ଡଲାର ସମ୍ପତ୍ତି ଥିବା ଲୋକଙ୍କଠାରୁ ୨ ପ୍ରତିଶତ, ୫୦ ମିଲିୟନ ଡଲାର ଥିବା ବ୍ୟକ୍ତିଙ୍କ ନିକଟରୁ ୩ ପ୍ରତିଶତ ଏବଂ ୧ ବିଲିୟନ ଡଲାର ସମ୍ପତ୍ତି ଥିବା ଧନୀଙ୍କଠାରୁ ୫ ପ୍ରତିଶତ ହାରରେ ଟିକସ ଆଦାୟ କରାଯାଇପାରିବ ବୋଲି ସେମାନେ କହିଛନ୍ତି। କରୋନାବେଳେ ବିଶ୍ୱର ୧୦ ପ୍ରମୁଖ ବିତ୍ତଶାଳୀ ବ୍ୟକ୍ତିଙ୍କ ସମ୍ପତ୍ତି ଦୁଇଗୁଣା ବଢ଼ିଛି। ସେମାନଙ୍କ ସମ୍ପତ୍ତି ୭୦୦ ବିଲିୟନ ଡଲାରରୁ ୧.୫ ଟ୍ରିଲିୟନ ଡଲାରରେ ପହଞ୍ଚିଥିବା ଅକ୍ସଫାମ ରିପୋର୍ଟରେ ଦର୍ଶାଯାଇଛି।

Share