ଆମଠୁ ଛଡ଼ାଇ ନେଉଛନ୍ତି

ରବିବାର ୨୮ ଜୁନ୍‌ ୨୦୨୦ରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରାଯାଇ ନାହିଁ। ଏହା ଫଳରେ ଅନେକଙ୍କ ମନରେ ଧାରଣା ସୃଷ୍ଟି ହେଉଥିବ ଯେ ଇନ୍ଧନ ଦର ହ୍ରାସ ପାଇଲା। ଆମେ ଭାରତୀୟ ଆଶ୍ଚର୍ଯ୍ୟ ଚରିତ୍ରର ନାଗରିକ। ଲାଗ୍‌ ଲାଗ୍‌ ୨୧ ଦିନ ଧରି ବୃଦ୍ଧି ପାଇଆସୁଥିବା ତୈଳଦରକୁ ଆମେ ମୋଟା ଚମଡ଼ା ହୋଇ ପ୍ରତିବାଦ କରିବା ପରିବର୍ତ୍ତେ ସମ୍ପୂର୍ଣ୍ଣ ଭାବେ ସ୍ବୀକାର କରିଯାଉଛୁ। କାଁ ଭାଁ କେହି ପ୍ରତିବାଦ କଲେ ଉତ୍ତର ମିଳୁଛି ବିରୋଧୀ ଦଳ କାହାନ୍ତି ? ବାସ୍ତବରେ ଯେମିତି ବିରୋଧୀ ଦଳ ରହିଲେ ହିଁ ଏହି ଦେଶରେ ଅନ୍ୟାୟ, ଅବିଚାର ଏବଂ ଲୁଣ୍ଠନକୁ ରୋକାଯାଇ ପାରିବ। ଅନ୍ୟପଟେ ଆମେ ହେଉଛୁ ସେହିପରି ଭୋଟର ଯେଉଁମାନେ ଗଣତନ୍ତ୍ରରେ ସବୁବେଳେ ‘ହାଓ୍ବା’ ଦେଖିବାକୁ ଅନାଇ ବସିଥାଉ। ସ୍ରୋତ କେଉଁଆଡ଼େ ଯାଉଛି ତାହାକୁ ଦେଖି ଭୋଟ୍‌ ଦେବା ହେଉଛି ଆମର ଚରିତ୍ର। ୫ ବର୍ଷରେ ଥରେ ସରପଞ୍ଚଙ୍କଠାରୁ ଆରମ୍ଭ କରି ସାଂସଦଙ୍କୁ ଭୋଟ ଦେବାର ସୁଯୋଗ ମିଳେ। ଗାଁମୁଣ୍ଡରେ ଛେଳି ବାନ୍ଧି ମଦ ଟିଣ ରଖୁଥିବା ପ୍ରାର୍ଥୀ ଯେମିତି ସରପଞ୍ଚ ଭାବେ ଜିଣେ, ସେହିଭଳି ଅର୍ଥ ଏବଂ ହାଓ୍ବା ବଳରେ ବିଧାୟକ କିମ୍ବା ଏମ୍‌ପି ଜିତିଥାନ୍ତି। ଯିଏ ଦେଲା ସିଏ ନେଲା। ତିନି ଟଙ୍କା ଦେଇ ପାନ ଦୋକାନୀଠାରୁ ଗୁଣ୍ଡିପାନ କିଣି ତତ୍‌କ୍ଷଣାତ୍‌ କଳରେ ଜାକିଦେଉ। ଏହାପରେ ଯଦି ପାନ ଦୋକାନୀ ଅଧିକ ଅର୍ଥ ମାଗେ ତେବେ ଯୁକ୍ତିତର୍କ ଓ ଝଗଡ଼ା ଆରମ୍ଭ ହୋଇଯାଏ। ଅନୁରୂପ ଭାବେ ଯେଉଁ ପ୍ରାର୍ଥୀ ତତ୍‌କ୍ଷଣାତ୍‌ ଅର୍ଥ, ମଦ ବା ଅନ୍ୟ ଆକର୍ଷଣ ଯୋଗାଇ ଭୋଟ୍‌ ନେଇଯାଏ, ପରବର୍ତ୍ତୀ ସମୟରେ ତାହାଠାରୁ ସାମୂହିକ ବା ବ୍ୟକ୍ତିଗତ ସାହାଯ୍ୟ ମାଗିବା ସାଧାରଣରେ ସମ୍ଭବପର ହୋଇ ନ ଥାଏ।
ଏବକାର ପରିସ୍ଥିତିକୁ ଦେଖିଲେ ସମସ୍ତେ ତୈଳ ଦର ବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଛନ୍ତି। ବିଶେଷକରି ଡିଜେଲ ଦର ବଢ଼ିଲେ ପନିପରିବାଠାରୁ ଆରମ୍ଭ କରି ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆହୁରି ବଢ଼ିବ। କରୋନାଜନିତ ଲକ୍‌ଡାଉନ୍‌ ବେଳେ ପ୍ରାୟ ସମସ୍ତଙ୍କ ରୋଜଗାରକୁ ଚୋଟ ବାଜିଛି। ଅବଶ୍ୟ ଦୁର୍ନୀତିଗ୍ରସ୍ତ କିମ୍ବା କଳାବେପାରୀଙ୍କୁ ଏହି ସାମାନ୍ୟ ଦରବୃଦ୍ଧି କୌଣସି ଭାବେ ପ୍ରଭାବିତ କରିବ ନାହିଁ। ସେମାନଙ୍କ ବିଷୟରେ ଏଠାରେ ଚିନ୍ତା କରିବା ଅଯଥା। ସାଧାରଣ ଭାରତୀୟ ଗ୍ୟାସ୍‌, ଡିଜେଲ୍‌ ଓ ପେଟ୍ରୋଲ ଉପରେ ପୃଥିବୀର ଅନ୍ୟ ଦେଶଗୁଡ଼ିକ ତୁଳନାରେ ସର୍ବାଧିକ ଟିକସ ଦେଇଆସୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟମାନେ ଇନ୍ଧନ ଉପରେ ପ୍ରାୟ ୭୦ ପ୍ରତିଶତ ଟିକସ ଦେଉଛନ୍ତି। ଇନ୍ଧନ ଚାହିଦା ପୃଥିବୀବ୍ୟାପୀ ହ୍ରାସ ଘଟୁଥିବାରୁ ତାହାର ବ୍ୟାରେଲ୍‌ ପିଛା ଦର କମିଛି। ୨୮ ଜୁନ୍‌ରେ ତାହା ୪୧.୦୨ ଡଲାର ଅଛି। ପୂର୍ବରୁ ଏହି ବ୍ୟାରେଲ୍‌ ଦର ୧୦୦ ଡଲାରରେ ପହଞ୍ଚିଥିବା ସତ୍ତ୍ୱେ ଭାରତରେ ଇନ୍ଧନ ଦର ଆଜିର ଆକାଶଛୁଆଁ ମୂଲ୍ୟରେ ପହଞ୍ଚି ନ ଥିଲା। ଜଣାନାହିଁ ପୁନର୍ବାର ଦର କେବେ ପୁଣି ବଢ଼ିବ। ଲୋକଙ୍କୁ ଭକୁଆ କରିବା ପାଇଁ ଲାଗ୍‌ ଲାଗ୍‌ ଥରେ, ଦୁଇଥର ୫ କିମ୍ବା ୧୦ ପଇସା ହ୍ରାସ କରିଦିଆଯାଇଥାଏ। ଏଥିରେ କୃତକୃତ୍ୟ ହୋଇ ସମର୍ଥକମାନେ କହିବୁଲିବେ ଯେ ଇନ୍ଧନ ଦର ଖସିଲା। ଆମେ ସମସ୍ତେ ଏତେ ବୋକା ଯେ ସେହି କଥାରେ ଲଗାତର ଦରବୃଦ୍ଧିକୁ ଭୁଲିଯିବା।
ଦୋକାନବଜାର ଏବଂ ସବୁ ବ୍ୟବସାୟ ବନ୍ଦ ହୋଇଯାଇ ଥିବାରୁ ସରକାରଙ୍କ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟ ହ୍ରାସ ପାଇଛି। ଆସନ୍ତା ଦିନଗୁଡ଼ିକରେ ଆହୁରି କମିବ। ରୋଜଗାର କମିବାରୁ ଆୟକର ଦେବାରେ ଅନେକ ନାଗରିକ ଅସମର୍ଥ ହେବେ। ରପ୍ତାନି କମିଥିବାରୁ ସୀମା ଶୁଳ୍କ ଓ ଉତ୍ପାଦ ଶୁଳ୍କ ଭଳି ଟିକସ ହ୍ରାସ ପାଉଛି। ଅର୍ଥାତ୍‌ ସବୁଆଡୁ ସରକାରଙ୍କ ଆୟ କମୁଥିବାରୁ ଏବେ ସାଧାରଣ ନାଗରିକର ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଚାଞ୍ଛିନେବା ହେଉଛି ମୂଳ ଲକ୍ଷ୍ୟ। ଯେତେସବୁ ଲକ୍ଷ କୋଟି ଟଙ୍କାର ଯୋଜନା ପ୍ରବାସୀ ଶ୍ରମିକ ଏବଂ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ)କୁ ପୁନର୍ଜୀବିତ କରିବା ଭଳି ପ୍ରୋତ୍ସାହନମୂଳକ ଘୋଷଣା କରାଯାଉଛି ତାହାର ଅର୍ଥ ମୁଁ ଓ ଆପଣ, ହଁ ଆପଣ, ଦେବାକୁ ବାଧ୍ୟ ହେଉଛୁ। ‘ଆମରିଠାରୁ ଛଡ଼ାଇନେଇ ଆମ ମୁହଁରେ ଫିଙ୍ଗିବେ’ ହେଉଛି ଏକମାତ୍ର ଯୋଜନା।
ସରକାର ସବୁବେଳେ କହୁଛନ୍ତି ଜିଡିପି ବୃଦ୍ଧି ପାଇବ। ଏହା ସତ୍ୟ ବୋଲି ପ୍ରମାଣିତ ହେଉଛି। ଜିଡିପିର ପୂର୍ବ ଅର୍ଥ ଥିଲା ମୋଟ୍‌ ଘରୋଇ ଉତ୍ପାଦ। ଏବେ ତାହାର ଅର୍ଥ ବଦଳି ଗ୍ୟାସ୍‌, ଡିଜେଲ, ପେଟ୍ରୋଲ ହୋଇଯାଇଛି। ଏହି ଜିଡିପି ନିଶ୍ଚିତ ଭାବେ ବୃଦ୍ଧି ପାଉଛି।

ତଥାଗତ ସତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ଆଲୋକ ପ୍ରଦୂଷଣ

ଭ୍ୟତାର ବିକାଶ କ୍ରମରେ ଏକଦା ବିଜୁଳି ମାଡରେ ଜଳୁଥିବା ବଣ ମଧ୍ୟରୁ ମନୁଷ୍ୟ ପ୍ରଥମେ ନିଆଁକୁ ଆବିଷ୍କାର କରିଥିଲା। ନିଆଁ ଆବିଷ୍କାର ପରେ ମଣିଷ ମଶାଲ...

କେହି ନୁହେଁ କାହାର

ଗଣତନ୍ତ୍ରରେ ସରକାର ବଦଳିବା ଏକ ସ୍ବାଭାବିକ ପ୍ରକ୍ରିୟା। ମାତ୍ର ଏଇ ସ୍ବାଭାବିକ ପ୍ରକ୍ରିୟାଟି ଅନେକ ଅସ୍ବାଭାବିକ ପ୍ରକ୍ରିୟାକୁ ସାଙ୍ଗରେ ଧରି ଆସିଥାଏ। ଗୋଟେ ସରକାର ପତନ...

ଉବର ଚୁକ୍ତି

ଭାରତର ସୁରକ୍ଷା ପ୍ରତି ପଡ଼ୋଶୀ ଚାଇନା ଓ ପାକିସ୍ତାନ ଆହ୍ବାନ ସୃଷ୍ଟି କରିଛନ୍ତି। ଏହାର ମୁକାବିଲା ପାଇଁ ସେନା ନୂତନ ସ୍ଥିତି ସହିତ ଖାପ ଖୁଆଇ...

ଏଇ ଭାରତରେ

ସ୍ବାମୀ ଓ ସ୍ତ୍ରୀଙ୍କ ବୟସ ଏବେ ୭୯। ତଥାପି ସେମାନେ ବୟସର ଛାପ ନିଜ ଉପରେ ପଡ଼ିବାକୁ ଦେଇ ନାହାନ୍ତି କି ହାର୍‌ ମାନି ନାହାନ୍ତି।...

ଆକସ୍ମିକ ମୃତ୍ୟୁ

ବାସ୍ତବିକ ମୃତ୍ୟୁ ହିଁ ଦୁନିଆରେ ଚିରସତ୍ୟ, ଏହା କବଳରୁ ନରରୂପୀ ଭଗବାନ, ଧନୀ, ମାନୀ, ଜ୍ଞାନୀ, ଗୁଣୀ, ପ୍ରତିପତ୍ତି ସମ୍ପନ୍ନ, ଦରିଦ୍ର କେହି ରକ୍ଷା ପାଇପାରିବେ...

ବାଣରୁ କ୍ଷାନ୍ତ

ପ୍ରତିବର୍ଷ ଦୀପାବଳି ଆସିଲେ ଦିଲ୍ଲୀର ବାୟୁ ପ୍ରଦୂଷଣ ବିଷୟରେ ଗମ୍ଭୀର ଆଲୋଚନା ହୋଇଥାଏ। ପାରମ୍ପରିକ ଗଣମାଧ୍ୟମରେ ବିତର୍କ ହୁଏ ଓ ସୋସିଆଲ ମିଡିଆରେ ଏ ସମ୍ବନ୍ଧୀୟ...

ସର୍ବନିମ୍ନ ସହାୟକ ମୂଲ୍ୟ

ନିକଟରେ କେନ୍ଦ୍ର ସରକାର ୬ଟି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଘୋଷଣା କରିଛନ୍ତି। ୨୦୨୫-୨୬ ବର୍ଷ ପାଇଁ କୁଇଣ୍ଟାଲ ପିଛା ଗହମର ସର୍ବନିମ୍ନ ସହାୟକ...

ଓଡ଼ିଆରେ ବୈଷୟିକ ଶିକ୍ଷା

କିଛି ବ୍ୟକ୍ତିଙ୍କର କହିବା କଥା ଯେ, ବୈଷୟିକ ଶିକ୍ଷା ଓଡ଼ିଆ ଭାଷାରେ ପଢ଼ାଲେଖା ନ ହେବାରୁ ଆମ ଭାଷା ସଙ୍କୁଚିତ ହୋଇଯାଉଛି। ତେଣୁ ସମସ୍ତ ବିଷୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri