Categories: ଜାତୀୟ

ପିଆଇବି ପ୍ରମୁଖ ମହାନିର୍ଦ୍ଦେଶକ ସତ୍ୟେନ୍ଦ୍ରଙ୍କ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ,୨ା୮: ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ସତ୍ୟେନ୍ଦ୍ର ପ୍ରକାଶ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଭାରତୀୟ ସୂଚନା ସେବା(ଆଇଆଇଏସ୍‌)ର ୧୯୮୮ ବ୍ୟାଚର ଅଧିକାରୀ। ଏଥିପୂର୍ବରୁ ସେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ (ସିବିସି)ର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। କେନ୍ଦ୍ର ସରକାରଙ୍କ ଜନ ସମ୍ପର୍କ, ଗଣମାଧ୍ୟମ ପରିଚାଳନା, ପ୍ରଶାସନ, ନୀତି ନିର୍ଦ୍ଧାରଣ ଓ କାର୍ଯ୍ୟକ୍ରମ ତ୍ୱରାନ୍ବିତ କରିବା କ୍ଷେତ୍ରରେ ତାଙ୍କର ବହୁ ଅଭିଜ୍ଞତା ରହିଛି। ସେ ବିଭିନ୍ନ ଜାତୀୟ ଏବଂ ୟୁନେସ୍କୋ, ୟୁନିସେଫ୍‌, ୟୁଏନ୍‌ଡିପି ଆଦି ଅନ୍ତର୍ଜାତୀୟ ମଞ୍ଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସିବିସି ନିମନ୍ତେ ସରକାରୀ ବିଜ୍ଞାପନର ବିଷୟବସ୍ତୁ ସମ୍ପର୍କିତ ମାର୍ଗଦର୍ଶିକା ପ୍ରସ୍ତୁତି, ଇଣ୍ଟରନେଟ ଓ ଡିଜିଟାଲ ଗଣମାଧ୍ୟମ ନୀତି, ଏଫଏମ୍‌ ରେଡିଓ ନୀତି, ଡିଜିଟାଲ ଚଳଚ୍ଚିତ୍ର ନୀତି ଇତ୍ୟାଦି ପ୍ରସ୍ତୁତି କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୨୦୨୧ ଗଣତନ୍ତ୍ର ଦିବସ ନିମନ୍ତେ ପ୍ରଥମ ‘ଭୋକାଲ ଫର୍‌ ଲୋକାଲ’ ପ୍ରଜ୍ଞାପନ ମଣ୍ଡପ ନିର୍ମାଣ ପାଇଁ ତାଙ୍କ ଭୂମିକା ସ୍ବୀକୃତି ଲାଭ କରିଥିଲା। ଭାରତ ସରକାରଙ୍କର ଅନେକ ପ୍ରମୁଖ ଜନସୂଚନା ଅଭିଯାନର ପରିପାଟୀ ପ୍ରସ୍ତୁତି ସହ କାର୍ଯ୍ୟାନ୍ବୟନରେ ସତ୍ୟେନ୍ଦ୍ର ମୁଖ୍ୟ ଥିଲେ। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇଇସି ଅଭିଯାନ ସଂଯୋଜନା କରିଥିଲେ। ୨୦୨୧-୨୨ରେ ମତଦାତା ସଚେତନତା ଓ ଭୋଟଦାନରେ ଅଂଶଗ୍ରହଣ ବୃଦ୍ଧି ପାଇଁ ତାଙ୍କୁ ନିକଟରେ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାତୀୟ ସମ୍ମାନରେ ସମ୍ମାନିତ କରାଯାଇଛି। ସତ୍ୟେନ୍ଦ୍ର କାର୍ଯ୍ୟଭାର ଗ୍ରହଣ କରିବା ପରେ ପିଆଇବିର ବରିଷ୍ଠ ଅଧିକାରୀଗଣ ତାଙ୍କୁ ସ୍ବାଗତ ଜଣାଇଛନ୍ତି।

Share