ଭୁବନେଶ୍ୱର,୭।୫: ଭାଜପାର ସୋମବାର ସଙ୍କଳ୍ପପତ୍ର ଘୋଷଣା ପରେ ଏହାକୁ କାଉଣ୍ଟର ଆଟାକ କରିଛି ବିଜେଡି । ରାଜ୍ୟ ଭାଜପାର ସଙ୍କଳ୍ପପତ୍ରକୁ ‘ମିଛ ମାନିଫେଷ୍ଟୋ’ ବୋଲି କହିବା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିଜେଡି ନେତା । ‘ନା କାମ କରିବି, ନା କାମ କରେଇ ଦେବି’ ବୋଲି କହି ବିଜେଡି ମୁଖପାତ୍ର ସ୍ବଂୟପ୍ରକାଶ ମହାପାତ୍ର ଓ ଏମପି ସସ୍ମିତ ପାତ୍ର ଭାଜପା ଉପରେ ବର୍ଷିଛନ୍ତି । ଭାଜପା ପୂର୍ବରୁ ଭୂଆଁ ବୁଲେଇ ଆସିଛି, ଆଜି ବି ଭୂଆଁ ବୁଲାଉଛି । ସଙ୍କଳ୍ପ ପତ୍ରରେ ଭାଜପା ଯାହା ଯାହା ସବୁ ପ୍ରତିଶ୍ରୁତି ଦେଇଛି, ସେ ସବୁ ମିଛ ପ୍ରତିଶ୍ରୁତି ବୋଲି କହିଛି ବିଜେଡି ।
ବିଜେଡି ନେତା କହିଛନ୍ତି, ଭାଜପା ଚାଷୀଙ୍କ ଆୟ ଦ୍ୱିଗୁଣ କରିବାକୁ କହିଥିଲେ, ହେଲେ କଲେନି । ଏବେ କିନ୍ତୁ ଏମଏସପିକୁ ୩୧୦୦ ଟଙ୍କା କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ସେହିପରି ୨୦୧୪ରେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ଦେବାକୁ କହିଥିଲେ, ହେଲେ ତା ମଧ୍ୟ କଲେନି । ଅନ୍ୟପଟେ ରାଜ୍ୟ ଭାଜପା ତାଙ୍କ ମାନିଫେଷ୍ଟୋରେ ଗରିବଙ୍କୁ ଘର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି, ହେଲେ ସେଇମାନେ ହିଁ ୧୪ ଲକ୍ଷ ଆବାସ ଘର ବନ୍ଦ କରିଦେଲେ ବୋଲି କହିବା ସହିତ ଭାଜପାକୁ କାଉଣ୍ଟର ଆଟାକ୍ କରିଛନ୍ତିି ବିଜେଡି ନେତା ।