ୟୁପିକୁ ହାଲୁକା ଭାବେ ନେବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ,୨୩ା୬(ପି.ଟି.): ଲୋକ ସଭା ନିର୍ବାଚନ ଫଳାଫଳକୁ ନେଇ ଏକ୍‌ଜିଟ୍‌ ପୋଲ୍‌ର ପୂର୍ବାନୁମାନ ଭୁଲ୍‌ ହେବା ଘଟଣାରେ ଆକ୍ସିସ୍‌ ମାଇଁ ଇଣ୍ଡିଆକୁ ଦୋଷ ଦିଆଯାଉଥିବାବେଳେ ଏହାର ମୁଖ୍ୟ ଶେଷରେ ଭୁଲ୍‌ ସ୍ବୀକାର କରିଛନ୍ତି। ଉତ୍ତରପ୍ରଦେଶର ଶେଷ ତିନି ପର୍ଯ୍ୟାୟ ନିର୍ବାଚନକୁ ହାଲୁକା ଭାବେ ନେବା ସେମାନଙ୍କ ପାଇଁ ଫଳାଫଳ ଆକଳନରେ ମହଙ୍ଗା ପଡ଼ିଲା ବୋଲି ଆକ୍ସିସ୍‌ ମାଇଁ ଇଣ୍ଡିଆ ମୁଖ୍ୟ ପ୍ରଦୀପ ଗୁପ୍ତା କହିଛନ୍ତି। କାରଣ ଏହି ସମୟରେ ଉକ୍ତ ସଂସ୍ଥା ଏହାର ମାନବ ସମ୍ବଳକୁ ଗୁରୁତ୍ୱପୂର୍ଣ୍ଣ ହିନ୍ଦୀଭାଷୀ ରାଜ୍ୟରୁ ଓଡ଼ିଶାକୁ ନେଇଯାଇଥିଲା। ଉତ୍ତରପ୍ରଦେଶର ପ୍ରଥମ ୪ ପର୍ଯ୍ୟାୟର ମତଦାନକୁ ଆଧାର କରି ଉକ୍ତ ରାଜ୍ୟର ଫଳାଫଳ ଆକଳନ କରିବା ଭୁଲ୍‌ସାବ୍ୟସ୍ତ ହେଲା ବୋଲି ଗୁପ୍ତା କହିଛନ୍ତି।
ସୂଚନାଯୋଗ୍ୟ, ଜୁନ୍‌ ୧ରେ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ସନ୍ଧ୍ୟାରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ବୁଥ୍‌ ବାହୁଡ଼ା ଜନମତ ସର୍ଭେ ପ୍ରକାଶ ପାଇଥିଲା। ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ୩୬୧ରୁ ୪୦୦ ଆସନ ଜିତିବ ବୋଲି ଆକ୍ସିସ୍‌ ମାଇଁ ଇଣ୍ଡିଆ ପକ୍ଷରୁ ଆକଳନ କରାଯାଇଥିଲା। ଉତ୍ତରପ୍ରଦେଶର ୮୦ ଆସନ ମଧ୍ୟରେ ଏନ୍‌ଡିଏକୁ ୬୭ ମିଳିବ ବୋଲି ଏଥିରେ କୁହାଯାଇଥିଲା। କିନ୍ତୁ ଭାଜପା ୨୪୦ ଆସନରେ ସୀମିତ ରହିବା ସହ ଉତ୍ତରପ୍ରଦେଶରେ ମାତ୍ର ୩୩ ଆସନ ଜିତିବାକୁ ସକ୍ଷମ ହୋଇଥିଲା। ଏକ୍‌ଜିଟ୍‌ ପୋଲ୍‌ ପୂର୍ବାନୁମାନ ପଦ୍ଧତିରେ ଭୁଲ୍‌ ନ ଥିଲା ବରଂ ଗୁରୁତ୍ୱପୂର୍ଣ୍ଣ ରାଜ୍ୟରୁ କର୍ମଚାରୀମାନଙ୍କୁ ଅନ୍ୟତ୍ର ନେଇଯିବା ଭୁଲ୍‌ ହେଲା। ଏଥିରୁ ଆମକୁ ଏକ ଶିକ୍ଷା ମିଳିଲା ବୋଲି ଗୁପ୍ତା ସ୍ବୀକାର କହିଛନ୍ତି।

Share