Advertisement

ଆସନ୍ତା ମାସ ସୁଦ୍ଧା ଶେଷ ହେବ ତାଳଚେର-ବିମଳାଗଡ଼ ରେଳ ଲାଇନ ଜମି ଅଧିଗ୍ରହଣ କାର୍ଯ୍ୟ

ଦେବଗଡ଼,୨୩ା୮(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଜିଲା ନାଗରିକ କମିଟି ଦେବଗଡ଼ ଜିଲା ଜିଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଆଲୋଚନା କରିଥିଲେ। ତାଳଚେର -ବିମଳାଗଡ଼ ରେଳପଥ ପାଇଁ ଦେବଗଡ଼ ଜିଲାରେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଅନୁରୋଧ କରାଯାଇଥିଲା। ଏହାର ଉତ୍ତରରେ ଜିଲାପାଳ କହିଥିଲେ ଯେ, ମୋଟ୍‌ ୧୯ଟି ଗ୍ରାମ ମଧ୍ୟରୁ ୧୭ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହୋଇସାରିଛି ଓ ଆସନ୍ତା ମାସ ଶେଷ ସୁଦ୍ଧା ୨ଟି ଗ୍ରାମର ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ ହେବ। ଏହା ବ୍ୟତୀତ ପ୍ରଧାନପାଟ ପାଦଦେଶରେ ଥିବା ପ୍ରଧାନ ପଟେଶ୍ୱରୀଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ଜିଲା ଖୋଲା ପଡ଼ିଥିବା ଡକ୍ଟର ପଦବୀ ପୂରଣ, କୋରଡ଼କୋଟ ଜଳ ପ୍ରାପଦରେ ଯାତ୍ରୀ ନିବାସ, ରୋଷେଇ ଗୃହ, ଆଲୋକୀକରଣ, ଉନ୍ନତ ରାସ୍ତା ନିର୍ମାଣ, ରାଜା ବାସୁଦେବ ହାଇସ୍କୁଲରେ ରେଗୁଲାର ପ୍ରଧାନଶିକ୍ଷକ ନିଯୁକ୍ତି, ଷୋହଳ ବଖରୀ କଟାର ପୂର୍ବ ପାର୍ଶ୍ୱରେ ସରକାରୀ ଜମି ଜବରଦଖଲ ଉଚ୍ଛେଦ,ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କ ନିମନ୍ତେ ସ୍ବତନ୍ତ୍ର ସ୍କୁଲ ପ୍ରତିଷ୍ଠା ଆଦି ଦାବି ଉପସ୍ଥାପନା କରାଯାଇଥିଲା। ଆଲୋଚନା ସମୟରେ ନାଗରିକ କମିଟି ସଭାପତି ସୁଶୀଲ କୁମାର କପରଦାର, ଲକ୍ଷଣ ପ୍ରଧାନ, ସୁଧୀର କପରଦାର, ପୌର ନଗରପାଳ ପ୍ରଜିତ ଭୋଜ, କମଲ କିଶୋର ଗୁପ୍ତା, ଶଶାଙ୍କ ଶେଖର ଝାଙ୍କର ରମଣୀ ରଞ୍ଜନ ଆଚାର୍ଯ୍ୟ, ନରୋତ୍ତମ ସାହୁ, ଶ୍ରବଣ କୁମାର ନାଏକ, ଜନ୍ମାଜୟ ନାୟକ, ଈଶ୍ୱର ପ୍ରସାଦ ଦାଶ, ବାବୁଲେନ୍ଦ୍ର ନାୟକଙ୍କ ସମତେ ବହୁ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel