Categories: ଅନୁଗୋଳ

ଜୁଲାଇ ୪ରେ ତାଳଚେର ବନ୍ଦ ଡାକରା

ତାଳଚେର,୩୦।୬(ନି.ପ୍ର.) ତାଳଚେର ମେଡିକାଲ କଲେଜକୁ ରାଜ୍ୟ ସରକାର ଶୀଘ୍ର ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଉ ନାହିଁ। ଏହାର ପ୍ରତିବାଦରେ ଆସନ୍ତା ୪ ତାରିଖରେ ତାଳଚେର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ କରାଯିବା ସହିତ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।
କ୍ରିୟାନୁଷ୍ଠାନ କମିଟି ଆବାହକ ପଦ୍ମଚରଣ ସାମଲଙ୍କ ସଭାପତିତ୍ୱରେ ପ୍ରେସ୍‌ କ୍ଲବ ଠାରେ ଏ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂର୍ବତନ ଏମ୍‌ପି ରବିନାରାୟଣ ପାଣି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦିଗାମ୍ବର ଗଡନାୟକ, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ସମିତିସଭ୍ୟ ବିନୋଦ ଲାଲ୍‌, ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଶୋଭାଗିନୀ ଦାସ, କଣିହଁା ଅଞ୍ଚଳର ପୂର୍ବତନ ସରପଞ୍ଚ ମହେଶ୍ୱର ପ୍ରଧାନ, ସୁକାନ୍ତ କୁମାର ଦାସ, ଅଭୟ ପାଣି, ପ୍ରଦୀପ ମହାରଣା, କଷ୍ଟୁ ସାମଲ, ସଞ୍ଜୀବ ନାଏକ, ଅନୁପ ସାହୁ, ଗଗନ ବିହାରୀ ଦାସ, ମନୋଜ ପ୍ରଧାନ, ମହି ସାହୁ, ନିଲମ୍‌ ଲାଲ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ କୁହାଯାଇଥିଲା ଯେ, ତାଳଚେର ମେଡିକାଲ କଲେଜ ପାଇଁ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହୋଇ ଭିତ୍ତିଭୂମି ପ୍ରସ୍ତୁତି ହୋଇଥିଲେ ହେଁ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ନ ହେବା ଦୁଃଖର ବିଷୟ। ପୂର୍ବରୁ କମିଟି ପକ୍ଷରୁ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିଲା। ହେଲେ ପ୍ରଶାସନ ଏ ନେଇ ସମୟ ମାଗିବା ଯୋଗୁ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ କେବେଠାରୁ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବ ସେ ନେଇ ସରକାର ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରି ନ ଥିବାରୁ କ୍ରିୟାନୁଷ୍ଠାନ କମିଟି ତାଳଚେର ବନ୍ଦ ଡାକରା ଦେଇଛି। ଏହି ବନ୍ଦକୁ ସଫଳ କରିବା ପାଇଁ ତାଳଚେରର ବୁଦ୍ଧିଜୀବୀ, ଶ୍ରମିକ, ବ୍ୟବସାୟୀ, ଛାତ୍ର, ଯୁବକ ଏବଂ ଅଞ୍ଚଳବାସୀ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ୭୨ ଘଣ୍ଟିଆ ଅର୍ଥନୈତିକ ଆନ୍ଦୋଳନକୁ ସଫଳ କରିବାକୁ କ୍ରିୟାନୁଷ୍ଠାନ କମିଟି ଅନୁରୋଧ କରିଛି।