ତାଳଦଣ୍ଡା କେନାଲ: ଜଳ ପ୍ରବାହକୁ ନେଇ ଅନିଶ୍ଚିତତା

କଟକ ସଦର,୨।୭(ସୁଶାନ୍ତ କୁମାର ଜେନା)ଚଳିତବର୍ଷ ଜୁଲାଇ ୧ ତାରିଖ ସୁଦ୍ଧା ବର୍ଷାର ଅଭାବ ଦେଖାଦେଇଛି। ଏହାଛଡ଼ା ଗରମ ଓ ଗୁଳୁଗୁଳି ଲାଗି ରହିଛି। ଗଜା ମରୁଡି ଆଶଙ୍କାରେ କଟକ ସଦର ବ୍ଲକ ସମେତ ଜଗତ୍‌ସିଂହପୁର ଜିଲାର ଚାଷୀମାନେ ଏପର୍ଯ୍ୟନ୍ତ ତଳି ପକାଇବାକୁ ସାହସ କରିପାରୁନାହାନ୍ତି। କାରଣ ଉଭୟ ଅଞ୍ଚଳର ଜଳସେଚନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ତାଳଦଣ୍ଡା ମୁଖ୍ୟ କେନାଲରେ ଜଳ ପ୍ରବାହକୁ ନେଇ ଅନିଶ୍ଚିତତା ଲାଗିରହିଛି। ଯୋବ୍ରା ଆନିକଟଠାରୁ ବିରିବାଟୀ ମଧ୍ୟରେ ଥିବା ମୁଖ୍ୟ କେନାଲର ୧୨ କିମି ଅଂଶରେ ୫ଟି ପୋଲ, ମତ୍ତଗଜପୁରଠାରେ ଗାର୍ଡ ୱାଲ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ପାଣି ଛାଡ଼ିବା ପାଇଁ ପୂର୍ତ୍ତ ବିଭାଗ ତରଫରୁ ଆପତ୍ତିବିହୀନ ପ୍ରମାଣପତ୍ର (ଏନ୍‌ଓସି) ଜଳସମ୍ପଦ ବିଭାଗକୁ ଦିଆଯାଇ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏ ନେଇ ମହାନଦୀ ଦକ୍ଷିଣ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ରାଜେଶ କୁମାର ମହାନ୍ତି ବାରମ୍ବାର ପୂର୍ତ୍ତ ବିଭାଗକୁ ପତ୍ର ଲେଖିଥିଲେ ମଧ୍ୟ କେନାଲ ଶଯ୍ୟାରେ ପଡ଼ିଥିବା ନିର୍ମାଣ ସାମଗ୍ରୀକୁ ଉଠାଯାଇନାହିଁ। ୨୦୨୨ ଡିସେମ୍ବର ୧ରୁ ୫ଟି ପୋଲ ନିର୍ମାଣ ସହ କେନାଲ ବନ୍ଧ ରାସ୍ତା ପ୍ରଶସ୍ତୀକରଣ ପାଇଁ ପୂର୍ତ୍ତ ବିଭାଗ ଦାୟିତ୍ୱ ନେଇଥିବାରୁ ଜଳପ୍ରବାହ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଚାଉଳିଆଗଞ୍ଜ, କଣ୍ଟିଲୋ, ଡିହସାହି, ମତ୍ତଗଜପୁର, ବିରିବାଟୀଠାରେ ପୋଲ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ଅବସ୍ଥାରେ ରହିଛି। ତେଣୁ ବିନା ଏନ୍‌ଓସିରେ ପାଣି ଛଡାଗଲେ ଠିକା ସଂସ୍ଥା କେସ୍‌ କରିବା ସମ୍ଭାବନା ରହିଛି। ଜୁନ୍‌ ପ୍ରଥମ ସପ୍ତାହରୁ କେନାଲ ଶଯ୍ୟା ସଫା ପାଇଁ ପୂର୍ତ୍ତ ବିଭାଗକୁ ଚିଠି ଲେଖାଯାଇଛି ବୋଲି ଅଧୀକ୍ଷଣ ଯନ୍ତ୍ରୀ ମହାନ୍ତି କହିଛନ୍ତି। ହେଲେ ଏ ନେଇ କଟକସ୍ଥିତ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ମାଝୀଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।

Share