ବିକଶିତ ଓଡ଼ିଶାର ପ୍ରକୃତ ସାରଥୀ ହେବେ ଦକ୍ଷ ଯୁବ ଶକ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪।୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଲୋକସେବା ଭବନରେ ୱାର୍ଲଡ ସ୍କିଲ କମ୍ପିଟେସନରେ ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ପାଇଥିବା ଅମରେଶ ସାହୁଙ୍କୁ ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ଟଙ୍କା ଏବଂ ଗେଡେଲା ଅଖିଳଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡିଶାର ପିଲାମାନଙ୍କ ଦକ୍ଷତା ବର୍ତ୍ତମାନ ବିଶ୍ୱର ଦୃଷ୍ଟିକୁ ଆସିପାରିଛି। ଆଗାମୀ ଦିନରେ ଓଡିଶାରେ ଦକ୍ଷତା ବିକାଶକୁ ଏକ ଆନ୍ଦୋଳନରେ ପରିଣତ କରାଯିବ। ୨୦୩୬ ଓ ୨୦୪୭କୁ ଦୃଷ୍ଟିରେ ରଖି ଏକ ବିକଶିତ ଓଡ଼ିଶା ଗଠନ ପାଇଁ ଆମର କାର୍ଯ୍ୟକ୍ରମ ପ୍ରସ୍ତୁତ ହେଉଛି। ବିକଶିତ ଓଡ଼ିଶାର ପ୍ରକୃତ ସାରଥୀ ହେବେ ଆମର ଏହି ଦକ୍ଷ ଯୁବ ଶକ୍ତି। ଆମ ଯୁବ ଶକ୍ତି ହିଁ ଆମ ପରିଚୟ। ସେମାନେ ଆମ ପାଇଁ ନୂଆ କ୍ରାନ୍ତି। ସେମାନେ ହିଁ ଆମ ପାଇଁ ଅଖଣ୍ଡ ବିଶ୍ୱାସର ଆଧାର। ଯୁବ ଶକ୍ତିର ଦକ୍ଷତା ଆମର ଶକ୍ତି ଓ ଗୌରବ। ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ସ୍ତରରେ ଦକ୍ଷତାର ବିକାଶ ପାଇଁ ଆମର ଉଦ୍ୟମ ଜାରି ରହିବ।

ସୂଚନାଯୋଗ୍ୟ ଯେ, ଫ୍ରାନ୍ସର ଲିଅନ୍ଠାରେ ସେପ୍ଟେମ୍ବର ୧୦ ରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୱାର୍ଲଡ ସ୍କିଲ କମ୍ପିଟେସନରେ ଦେଶର ୬୦ ଜଣ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ କେବଳ ଓଡ଼ିଶାରୁ ୧୫ ଜଣ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଦେବଗଡ ଜିଲାର ଅମରେଶ ସାହୁ ଅକ୍ଷୟ ଶକ୍ତି କ୍ଷେତ୍ରରେ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଗଜପତି ଜିଲାର ଗେଡେଲା ଅଖିଳ ୱାଟର ଟେକ୍ନୋଲୋଜିରେ ପଦକ ପାଇଛନ୍ତି।

ଏହି ଅବସରରେ ପିଲାମାନଙ୍କୁ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଦେଶର ୬୦ ଜଣ ପ୍ରତିଯୋଗୀମାନଙ୍କ ମଧ୍ୟରୁ କେବଳ ଓଡିଶାରୁ ୧୫ଜଣ ଭାଗ ନେବା ଏକ ବହୁତ ବଡ ସଫଳତା। ଓଡିଶାର ପିଲାମାନଙ୍କର ଦକ୍ଷତା ଉପରେ ଥିବା ଭରସାର ଏହା ହେଉଛି ଜ୍ୱଳନ୍ତ ପ୍ରମାଣ। ଏହା ଆମ ଦକ୍ଷତାର ନୂଆ ମାନଦଣ୍ଡ। ଓଡ଼ିଶାର ପିଲାମାନଙ୍କ ଦକ୍ଷତା ବର୍ତ୍ତମାନ ସାରା ବିଶର ଦୃଷ୍ଟିକୁ ଆସି ଗଲାଣି। ଏହିଭଳି ଦକ୍ଷ ଯୁବତୀଯୁବକମାନେ ହିଁ ଓଡ଼ିଶା ପାଇଁ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରି ପାରିବେ। ଏହି ଭଳି ଦକ୍ଷ ଯୁବତୀଯୁବକମାନଙ୍କ କାନ୍ଧରେ ହିଁ ଅଛି ଏକ ନୂତନ ଓଡିଶା ଗଠନର ଗୁରୁ ଦାୟିତ୍ୱ।

ଓଡ଼ିଶାରେ ଦକ୍ଷତା ବିକାଶ ପାଇଁ ଆମେ ରୋଡ ମ୍ୟାପ ପ୍ରସ୍ତୁତ କରିଛୁ। ଆମେ କେବଳ ସ୍ବପ୍ନ ଦେଖେଇବାରେ ବିଶ୍ୱାସ ରଖୁନା, ବରଂ ବାସ୍ତବତାର ରୂପାୟନ କରିଥାଉ। ଏ ବର୍ଷ ବଜେଟରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ କେବଳ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ ପାଇଁ ୧୦୫୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share