ତାଲିବାନ ଆସିବା ପରେ ବଢିପାରେ ୯/୧୧ ଭଳି ଆତଙ୍କବାଦୀ ଘଟଣା: ୟୁକେ

ଲଣ୍ଡନ,୧୧ ।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ସାରା ବିଶ୍ୱରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ଘଟଣା ବଢିବାର ଭୟ ଦେଖାଦେଇଛି । କୁହାଯାଉଛି କି ପୁଣିଥରେ ୨୦ ବର୍ଷ ପରେ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଗଡ ହେବାକୁ ଯାଉଛି । ଏହାକୁ ନେଇ ୟୁନାଇଟେଡ କିଙ୍ଗଡମ(ୟୁକେ) ଗୁଇନ୍ଦା ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି । ତାଙ୍କ ମତରେ ପଶ୍ଚିମ ଦେଶରେ ତାଲିବାନ ଆସିବା ପରେ ଅଲକାଏଦା ଭଳି ଆତଙ୍କବାଦୀ ଆକ୍ରମଣ ଅର୍ଥାତ୍ ୯/୧୧ ଭଳି ଘଟଣା ବଢିପାରେ । ଏମ୍‌୧୫ର ଡାଇରେକ୍ଟର ଜେନରାଲ କୈନ ମ୍ୟାକଲନ କହିଛନ୍ତି ତାଲିବାନ ଆସିବା ପରେ ୟୁକେ ପ୍ରତି ଅଧିକ ବିପଦ ରହିଛି । କାରଣ ଏବେ ନାଟୋର ସେନା ବି ଆଫଗାନିସ୍ତାନରୁ ଯାଇ ସାରିଛନ୍ତି ଓ ସେଠାରେ ବର୍ତ୍ତମାନ କୌଣସି ଲୋକତାନ୍ତ୍ରିକ ସରକାର ନହିଁ । ସେ ଯୋର ଦେଇ କହିଛନ୍ତି ଯେ ଆତଙ୍କବାଦୀ ଭୟ ରାତାରାତି କେବେ ବଦଳି ନ ଥାଏ । ଟ୍ରେନିଂ କ୍ୟାମ୍ପ ଓ ଏହାପାଇଁ ଇନଫ୍ରାଷ୍ଟ୍ରକ୍‌ଚର ଏକାଠି କରିବାକୁ ସମୟ ଲାଗିଥାଏ । କୈନ ମ୍ୟାକଲନଙ୍କ ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ କେତେଗୁଡିଏ ସମୟରେ ୟୁକେରେ ଏମିତି ଆତଙ୍କବାଦୀ ଆକ୍ରମଣ ହୋଇଥିବା ଦେଖାଯାଇଛି । ଯେଉଁଠାରେ ଆତଙ୍କବାଦି କୌଣସି ନା କୌଣସି ବିଚାରଧାରା ଦ୍ୱାରା ପ୍ରେରଣା ପାଇଥାଏ । ସୂଚନାଯୋଗ୍ୟ, ୨୦୦୫ରେ ବ୍ରିଟେନରେ ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସେତେବେଳେ ଟ୍ରେନ୍ ଓ ବସରେ ପାଖାପାଖି ୫୨ ଜଣ ଲୋକଙ୍କୁ ଆତ୍ମଘାତି ବିସ୍ଫୋରଣ ଦ୍ୱାରା ମାରି ଦିଆଯାଇଥିଲା ।

Share