‘ନିଜ ଅଳିଆ ଅନ୍ୟ ଘରେ ନ ପକାଉ ପାକିସ୍ତାନ’, ପେଶାୱର ଆକ୍ରମଣ ପରେ ପ୍ରତିକ୍ରିୟା ରଖିଲା ତାଲିବାନ

କାବୁଲ,୨ ।୨: ପେଶାୱରର ପୋଲିସ ଲାଇନରେ ଥିବା ମସଜିଦ ଉପରେ ହୋଇଥିବା ଆତ୍ମଘାତି ଆକ୍ରମଣ ସମ୍ପୂର୍ଣ୍ଣ ପାକିସ୍ତାନକୁ ଦୋହଲାଇ ଦେଇଛି । ଏହି ଆକ୍ରମଣରେ ଏବେ ପର୍ଯ୍ୟନ୍ତ ୧୦୧ ଜଣଙ୍କ ମୃତ୍ୟୁ ହେଲାଣି । ଏବେବି ୨୦୦ରୁ ଅଧିକ ଆହତଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏମାନଙ୍କ ମଧ୍ୟରେ ଅନେକେ ଏବେବି ଜୀବନ ଓ ମୃତ୍ୟୁ ସହ ଲଢେଇ କରି ଚାଲିଛନ୍ତି । ଅର୍ଥାତ୍ ମୃତକଙ୍କ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି ।
ଏହି ଆକ୍ରମଣ ପରେ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଯାଞ୍ଚ ହେଉଛି କି ସୁରକ୍ଷାରେ ଏତେବଡ ଭୁଲ କେମିତି ହେଲା । ଏହାରି ଭିତରେ ଏହି ଆତ୍ମଘାତି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ତହରିକ-ଏ-ତାଲିବାନର ଏକ ସଂସ୍ଥା । ଅନ୍ୟପଟେ ଏହି ଆକ୍ରମଣ ପରେ ପାକିସ୍ତାନ ଓ ତାଲିବାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏହି ଘଟଣା ପାଇଁ ଆଫଗାନ ବର୍ଡରକୁ ଦାୟୀ କରାଇବା ପରେ ତାଲିବାନ ରାଗି ଯାଇଛି ।
ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ, ଅମିର ମୁତ୍ତାକୀ କହିଛନ୍ତି ପାକିସ୍ତାନ ଆଫଗାନିସ୍ତାନକୁ ଦାୟୀ କରାଇବା ଛାଡି ଦେଉ, ପାକିସ୍ତାନ ନିଜ ସମସ୍ୟା ନିଜେ ସମାଧାନ କରୁ । କେବଳ ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ପାକିସ୍ତାନ ନିଜ ଅଳିଆ ଅନ୍ୟ ଘରେ ପକାଇବା ଛାଡି ଦେବା ଦରକାର ।

Share