ଆଫଗାନିସ୍ତାନ ଜନତାଙ୍କ ସ୍ବାଧୀନତା ଉପରେ ଆକ୍ରମଣ କରିଛି ତାଲିବାନ: ଜାତିସଂଘ…

ଜେନେଭା,୧୨।୯ : ମିଳିତ ଜାତିସଂଘର ମାନବାଧିକାର ମୁଖ୍ୟ ମଙ୍ଗଳବାର କହିଛନ୍ତି ତାଲିବାନ ଆଫଗାନିସ୍ତାନର ଲୋକଙ୍କ ସ୍ବାଧୀନତା ଉପରେ ଆକ୍ରମଣ କରିଛି। ସେ କହିଛନ୍ତି ଯେ ତାଲିବାନ ଶାସନରେ ମହିଳା ଓ ବାଳିକା ଅତ୍ୟଧିକ ନିଷ୍ଠୁର ଅତ୍ୟାଚାରର ସମ୍ମୁଖୀନ ହେଉଛନ୍ତି।

ଜାତିସଂଘର ମାନବ ଅଧିକାର ଅଧିକାର କମିଶନର ଭୋଲକର ତୁର୍କ କହିଛନ୍ତି ତାଲିବାନ କ୍ଷମତାକୁ ଫେରିବାର ଦୁଇ ବର୍ଷରୁ ଅଧିକ ସମୟ ପରେ ଆଫଗାନିସ୍ତାନରେ ମାନବିକ ଅଧିକାର ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚିଛି। ଏହି ପରିସ୍ଥିତିର ମୁକାବିଲା ପାଇଁ ମିଳିତ ଜାତିସଂଘର ସଦସ୍ୟ ଦେଶମାନଙ୍କୁ ସେ ଅନୁରୋଧ କରିଛନ୍ତି।

ଜାତିସଂଘ ମାନବ ଅଧିକାର ପରିଷଦର ଜେନେଭାରେ ଅନୁଷ୍ଠିତ ଏକ ବୈଠକରେ ତୁର୍କ କହିଛନ୍ତି , ଆଫଗାନିସ୍ତାନ ମହିଳା ଓ ବାଳିକାମାନେ ଯେଉଁ ଅତ୍ୟାଚାରର ସମ୍ମୁଖୀନ ହୋଇଛନ୍ତି ତାହା ଅତ୍ୟନ୍ତ ଚିନ୍ତା ଜନକ। ଆଫଗାନିସ୍ତାନ ବିଶ୍ୱ ପାଇଁ ଏକ ଭୟଙ୍କର ଉଦାହରଣ ସୃଷ୍ଟି କରିଛି। ଏଠାରେ ମହିଳା ଓ ବାଳିକାମାନଙ୍କୁ ମାଧ୍ୟମିକ ଏବଂ ଉଚ୍ଚଶିକ୍ଷା ପାଇବାକୁ ବାରଣ କରାଯାଇଛି।

Share