ବଢ଼ିଚାଲିଛି ତାଲିବାନୀ ବର୍ବରତା

କାବୁଲ,୯।୧୨:ବ୍ୟଭିଚାର, ଚୋରି, ଡ୍ରଗ୍ସ ଚାଲାଣ ଓ ଅନ୍ୟ ଅପରାଧ ପାଇଁ ଆଫଗାନିସ୍ତାନର ଉତ୍ତରାଞ୍ଚଳସ୍ଥିତ ପରଓ୍ବାନ ପ୍ରଦେଶରେ ୨୭ ଜଣ ବର୍ବରତାର ଶିକାର ହୋଇଛନ୍ତି। ତାଲିବାନ ଶାସିତ ଏହି ଦେଶର ସୁପ୍ରିମକୋର୍ଟ ସେମାନଙ୍କୁ ସର୍ବସାଧାରଣରେ କଠୋର ଦଣ୍ଡ ଦେବା ପାଇଁ ରାୟ ଦେଇଛନ୍ତି। ଦୋଷୀଙ୍କ ମଧ୍ୟରେ ୧୫ ପୁରୁଷ ଥିବାବେଳେ ୯ ମହିଳା ସାମିଲ ଅଛନ୍ତି। ସର୍ବସାଧାରଣଙ୍କ ସମ୍ମୁଖରେ ସେମାନଙ୍କୁ ମାଡ଼ ମରାଯିବା ଲାଗି କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସରକାରୀ ଓକିଲ ଅବଦୁଲ ରହିମ ରଶିଦ କହିଛନ୍ତି ଯେ, ଅପରାଧ ପାଇଁ ଅଭିଯୁକ୍ତମାନେ ୩ଟି କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପ୍ରତ୍ୟେକଙ୍କୁ ୨୫ରୁ ୩୯ ଥର ଶକ୍ତ ପ୍ରହାର କରାଯାଇଥିବାବେଳେ ସେମାନଙ୍କୁ ଚାରକର ଜେଲରେ ୨ ବର୍ଷ ଲେଖାଏ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ୨୦୨୧ ଅଗଷ୍ଟରେ ଆଫଗାନିସ୍ତାନ ତାଲିବାନୀ ଶାସକଙ୍କ ଅଧୀନକୁ ଚାଲିଆସିଥିଲା। ଦେଶର ମହିଳା ଓ ପୁରୁଷଙ୍କ ଲାଗି ସରକାର ଭିନ୍ନ ଭିନ୍ନ ଆଇନ ପ୍ରଣୟନ କରିଥିବାବେଳେ ମହିଳାଙ୍କ ବିରୋଧରେ ଏହି କଠୋରପନ୍ଥୀ ସରକାର ବହୁ କଟକଣା ଲଗାଇଛି।

Share