ଫେରୁଛି ତାଲିବାନ୍‌ ବର୍ବରତା

କାବୁଲ,୧୫ା୧୧:୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ତାଲିବାନ୍‌ର ପ୍ରଥମ ପାଳି ଶାସନ ବେଳେ ଆଫାଗାନିସ୍ତାନବାସୀ ଅଣନିଃଶ୍ୱାସୀ ହୋଇଯାଇଥିଲେ। ୨୦୨୧ ଅଗଷ୍ଟ ୧୫ରେ କାବୁଲ ଦଖଲ ପରେ ଅନ୍ତର୍ଜାତୀୟ ସ୍ବୀକୃତି ଆଶାରେ ତାଲିବାନ୍‌ ଶାସକ ପୂର୍ବାପେକ୍ଷା ନରମ ଆଭିମୁଖ୍ୟ ଦେଖାଇଥିଲେ। ବର୍ତ୍ତମାନ ସୁଦ୍ଧା ବିଶ୍ୱର କୌଣସି ରାଷ୍ଟ୍ର ପକ୍ଷରୁ ତାଲିବାନ୍‌ ସରକାରକୁ ସ୍ବୀକୃତି ମିଳି ନ ଥିବାବେଳେ ଏହାର ସୁପ୍ରିମ ଲିଡର ହିବାତୁଲ୍ଲା ଅଖୁନ୍ଦଜାଦା ଦେଶରେ ଇସ୍‌ଲାମୀୟ ଆଇନକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିଯୋଗୁ ଆଗାମୀ ଦିନରେ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦେବା, ଅଙ୍ଗ ଛେଦନ ଏବଂ ଟେକାମାଡ଼ କରି ହତ୍ୟା କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିପାରେ।
ତାଲିବାନ୍‌ର ମୁଖ୍ୟ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ରବିବାର ସରକାରଙ୍କ ପରିବର୍ତ୍ତିତ ଆଭିମୁଖ୍ୟ ସମ୍ପର୍କରେ ଟୁଇଟ୍‌ କରିଛନ୍ତି। ଜାବିହୁଲ୍ଲା କହିଛନ୍ତି, ସର୍ବୋଚ୍ଚ ନେତା ହିବାତୁଲ୍ଲା ଅଖୁନ୍ଦଜାଦା ଚୋର, ଅପହରଣକାରୀ ଓ ଦେଶଦ୍ରୋହୀମାନଙ୍କ ଫାଇଲଗୁଡ଼ିକୁ ତନ୍ନ ତନ୍ନ କରି ଯାଞ୍ଚ କରିବାକୁ କେତେଜଣ ବିଚାରପତିଙ୍କ ସହ ଆଲୋଚନା ବେଳେ ନିର୍ଦ୍ଦେଶ ଦେଇଛନ୍ତି। ଶରିଆ ଆଇନକୁ କଡ଼ାକଡ଼ି ଭାବେ ପାଳନ କରାଯିବା ବାଧ୍ୟତାମୂଳକ ବୋଲି ସୁପ୍ରିମ ଲିଡର କହିଛନ୍ତି। ଲୋକଲୋଚନର ଆଢ଼ୁଆଳରେ ରହୁଥିବା ଅଖୁନ୍ଦଜାଦା ତାଲିବାନ୍‌ ଆନ୍ଦୋଳନର ଉତ୍ପତ୍ତିସ୍ଥଳ କାନ୍ଦାହାରରୁ ଗତବର୍ଷ ଅଗଷ୍ଟରୁ ଆଫ୍‌ଗାନିସ୍ତାନକୁ ଶାସନ କରୁଛନ୍ତି।

Share