ଅତ୍ୟଧିକ ଖର୍ଚ୍ଚ କାରଣରୁ ବାତିଲ ହେଲା ଶପଥଗ୍ରହଣ ଉତ୍ସବ

କାବୁଲ,୧୨।୯: ଆମେରିକାରେ ସଙ୍ଗଠିତ ୯/୧୧ ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଶନିବାର ଆଫଗାନିସ୍ତାନରେ ଅନ୍ତରୀଣ ସରକାର ଗଢ଼ିଥିବା ତାଲିବାନ୍‌ କ୍ୟାବିନେଟ୍‌ର ଶପଥ ଗ୍ରହଣ ଉତ୍ସବ ଆୟୋଜନ ହେବାର ଥିଲା। ହେଲେ ଶେଷ ମୁହୁର୍ତ୍ତରେ ଏହାକୁ ବାତିଲ କରି ଦିଆଯାଇଛି।

ଅର୍ଥ ନଷ୍ଟ ନ କରିବାକୁ ତାଲିବାନ୍‌ ଏପରି ନିଷ୍ପତ୍ତି ନେଇଥିବା କେତେକ ରିପୋର୍ଟରେ ପ୍ରକାଶ ପାଇଛି। ଶପଥ ଗ୍ରହଣ ସମାରୋହ ଆୟୋଜନ ସପକ୍ଷରେ ନ ଥିବା ମେଣ୍ଟ ସହଯୋଗୀଙ୍କ ଚାପରେ ତାଲିବାନ୍‌ ଏହାକୁ ବାତିଲ କରିଥିବା ମଧ୍ୟ କୁହାଯାଉଛି। ସେପ୍ଟେମ୍ବର ୧୧ରେ ତାଲିବାନ୍‌ ସରକାର ଏହି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନେଇ ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲେ ହେଁ ଏ ବାବଦରେ ବିଧିବଦ୍ଧ ଭାବେ ଏହି ଆତଙ୍କବାଦୀ ସଙ୍ଗଠନ ପକ୍ଷରୁ କୌଣସି ଘୋଷଣା କରାଯାଇ ନ ଥିଲା।

Share