କାବୁଲରେ ତାଲିବାନର ବିଜୟ ଉତ୍ସବ: ଟ୍ରକରେ ବନ୍ଧୁକ ସହ ତାଲିବାନ ନେତାଙ୍କ ଶୋଭାଯାତ୍ରା

କାବୁଲ,୧୬।୮: ଆଫଗାନିସ୍ତାନରେ ତାଲିବାନ ଶାସନର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯାଇଛି। ଏହି ଅବସରରେ ରାଜଧାନୀ କାବୁଲର ଭାରତୀୟ ଦୂତାବାସ ନିକଟସ୍ଥ ଗ୍ରୀନ ଜୋନ୍‌ର ରାଜ୍ୟ ମିଡିଆ ଅଡିଟୋରିୟମରେ ତାଲିବାନ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ଏଥିରେ ତାଲିବାନର ସମସ୍ତ ନେତାଙ୍କ ସହ ସାଧାରଣ ନାଗରିକ ଉପସ୍ଥିତ ରହିଥିଲେ। ହେଲେ ଉତ୍ସବରେ କୌଣସି ମହିଳା ଯୋଗ ଦେଇ ନ ଥିଲେ। ଅନ୍ୟପକ୍ଷେ କେତେକ ତାଲିବାନ ନେତା ଏକ ଟ୍ରକରେ ବନ୍ଧୁକ ସହ ତାଲିବାନୀ ପତାକା ଧରି କାବୁଲ ରାଜରାସ୍ତାରେ ଶୋଭାଯାତ୍ରାରେ ବାହାରିଥିବା ଦେଖିବାକୁ ମିଳିଥଲା।

ସୂଚନାଯୋଗ୍ୟ, ଆମେରିକା ଆଫଗାନିସ୍ତାନ ଛାଡ଼ିବା ପରେ ତାଲିବାନ ଆଫଗାନିସ୍ତାନକୁ ନିଜ କବଜାକୁ ନେଇଥିଲା। ପରେ ୨୦୨୧ ଅଗଷ୍ଟ ୧୫ରେ ତାଲିବାନ ଆଫଗାନିସ୍ତାନର ଶାସନ ଆରମ୍ଭ କରିଛି। ଏକ ବର୍ଷ ମଧ୍ୟରେ ତାଲିବାନ ଆଫଗାନିସ୍ତାନ ଉପରେ ଅନେକ କଠୋର ଆଇନ୍‌ ଲାଗୁ କରିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଯୁବତୀ ଏବଂ ମହିଳାଙ୍କ ପାଇଁ ଶିକ୍ଷା ତଥା ଚାକିରୀ ଉପରେ ତାଲିବାନ କଡ଼ା ପ୍ରତିବନ୍ଧକ ଲଗାଇଛି। ଏପରି କି ବାଳିକାମାନଙ୍କୁ ସ୍କୁଲ ଯିବାକୁ ମଧ୍ୟ ବାରଣ କରାଯାଇଛି।

Share