ଆଫଗାନିସ୍ତାନର ତାଲିବାନ୍ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍ଲାମ୍ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର ମହିଳା ଏବଂ ବାଳିକାମାନଙ୍କୁ ସେମାନଙ୍କର ଅଧିକାର ଏବଂ ସ୍ବାଧୀନତାରୁ ବଞ୍ଚିତ କରୁଛି। ମହିଳା ଏବଂ ବାଳିକାଙ୍କୁ ସର୍ବସାଧାରଣରେ କହିବାକୁ ବାରଣ କରାଯାଇଛି। ନିକଟରେ ଆନ୍ୟ ଏକ ସରକାରୀ ଆଦେଶରେ ମହିଳାଙ୍କ ଗହଣରେ ଉଚ୍ଚ ସ୍ବରରେ ପ୍ରାର୍ଥନା କରିବା କିମ୍ବା କୋରାନ୍ ପଢ଼ିବା ନିଷେଧ କରାଯାଇଛି। ଗୀତ ଗାଇବା କିମ୍ବା ମ୍ୟୁଜିକ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। କିଛି ମାସ ପୂର୍ବେ ତାଲିବାନ୍ ମହିଳା ଏବଂ ବାଳିକାଙ୍କ ଶିକ୍ଷା ଉପରେ ଏହାର ପ୍ରତିବନ୍ଧକକୁ କୋହଳ କରିପାରେ ବୋଲି କିଛି ଆଶା କରାଯାଉଥିଲା। ହେଲେ ଏହା ପରିବର୍ତ୍ତେ ତାଲିବାନ୍ ଶାସନ ଏହାର ଲିଙ୍ଗଗତ ଭେଦଭାଦ ଦୃଢ଼ କରିବାକୁ ଚାହଁୁଛି। ଆଫଗାନିସ୍ତାନରେ ଅବସ୍ଥାପିତ ଜାତିସଂଘର ମାନବ ଅଧିକାର ପ୍ରତିନିଧି ରିଚାର୍ଡ ବେନେଟ୍ଙ୍କୁ ଦେଶରେ ପ୍ରବେଶ କରାଇଦିଆଯାଇନାହିଁ। ସେ ଏବେ ତାଲିବାନ୍ର ଦମନକାରୀ ନୀତି ଉପରେ ସମୀକ୍ଷା ଆରମ୍ଭ କରିଛନ୍ତି। ଏହି ସମୟରେ, ଜାତିସଂଘର ୬ଷ୍ଠ କମିଟି (ଆଇନ) ମାନବିକତା ବିରୋଧରେ ଅପରାଧକୁ ଦୃଷ୍ଟିରେ ରଖି ବିଶ୍ୱସ୍ତରୀୟ ଚୁକ୍ତିନାମାର ଏକ ଚିଠା ପ୍ରସ୍ତାବକୁ ଅନୁମୋଦନ କରିଛି। ଆମ୍ନେଷ୍ଟି ଇଣ୍ଟରନ୍ୟାଶନାଲ ସମେତ ଅନେକ ମାନବ ଅଧିକାର ଗୋଷ୍ଠୀ ଯୁକ୍ତି ବାଢ଼ିଛନ୍ତି ଯେ ଏହି ଚୁକ୍ତିନାମା ଉପରେ ଜାନୁଆରୀ ୨୦୨୬ ରେ ଅଧିକ ଆଲୋଚନା କରାଯାଇ ଅନ୍ତଃରାଷ୍ଟ୍ରୀୟ ନିୟମ ଅନୁଯାୟୀ ଲିଙ୍ଗଗତ ଭେଦଭାବକୁ ଏକ ଅପରାଧ ଭାବେ ବର୍ଗୀକୃତ କରିବା ଆବଶ୍ୟକ । ଏହା ଆଫଗାନିସ୍ତାନ, ଇରାନ ଏବଂ ଅନ୍ୟ ସବୁ ଦେଶରେ ମହିଳା ଓ ବାଳିକାଙ୍କ ପ୍ରତି ହେଉଥିବା ବାଛବିଚାର, ଉତ୍ପୀଡ଼ନ ଶେଷ କରିବା କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ହେବ।
ତାଲିବାନ୍ର ଲିଙ୍ଗଗତ ଭେଦଭାବର ମୁକାବିଲା ପାଇଁ ଜରୁରୀ ଆବଶ୍ୟକତା ରହିଛି। ବିଗତ ୩ବର୍ଷ ମଧ୍ୟରେ ତାଲିବାନ୍ ଶାସକ ବାଳିକା ଏବଂ ଯୁବତୀଙ୍କୁ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ନିଷେଧ କରିଛି। ସାଥିରେ କୌଣସି ବୟସ୍କ ପୁରୁଷ ନ ଥିଲେ ମହିଳାଙ୍କୁ ଯାତ୍ରା କରିବାକୁ ମନା କରାଯାଇଛି। ଏହା ସହ ସେମାନଙ୍କୁ ଅଧିକାଂଶ ସରକାରୀ କ୍ଷେତ୍ରରୁ ବାଦ୍ ଦିଆଯିବା ସହିତ ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ଘୋଡ଼ାଇହେବା ଭଳି ବୁର୍ଖା ପିନ୍ଧିବାକୁ ମଧ୍ୟ ବାଧ୍ୟ କରାଯାଇଥିଲା। ଅଗଷ୍ଟ ମାସରେ ତାଲିବାନ୍ ସରକାର ମହିଳାମାନଙ୍କୁ ଗୀତ ଗାଇବା, କୋରାନ୍ ପାଠ କରିବା ଏବଂ ସର୍ବସାଧାରଣରେ କଥାବାର୍ତ୍ତା କରିବାକୁ ମଧ୍ୟ ବାରଣ କରିଥିଲେ। ଚଳିତ ବର୍ଷ ପ୍ରାରମ୍ଭରେ ଦୋହାରେ ଅନୁଷ୍ଠିତ ଅନ୍ତଃରାଷ୍ଟ୍ରୀୟ ବୁଝମଣାରେ ଆଫଗାନ ମହିଳା ତଥା ମହିଳା ଗୋଷ୍ଠୀଙ୍କୁ ବାଦ୍ ଦିଆଯାଇଥିଲା, ଏପରିକି ତାଲିବାନ୍ ଶାସନ ସେମାନଙ୍କ ଦୁର୍ଦ୍ଦଶାକୁ ସ୍ବୀକାର କରିବାକୁ ମନା କରିଦେଇଥିଲା।
୨୦୨୧ରେ ତାଲିବାନ୍ କ୍ଷମତାକୁ ଫେରିବା ପରେ ଆଫଗାନ ବାଳିକାମାନଙ୍କ ମଧ୍ୟରୁ ଯେଉଁମାନେ ସ୍କୁଲରେ ପଢ଼ୁଥିଲେ ସେମାନେ ପ୍ରତିବନ୍ଧକ ସତ୍ତ୍ୱେ ଡାକ୍ତର, ନର୍ସ, ଶିକ୍ଷକ, ଇଞ୍ଜିନିୟର ଏବଂ ଉଦ୍ୟୋଗୀ ହେବାର ସ୍ବପ୍ନ ଦେଖୁଛନ୍ତି। ନିଜ ପାଇଁ ଏବଂ ସେମାନଙ୍କ ପରିବାର ପ୍ରତି ବିପଦ ଥିଲେ ମଧ୍ୟ କେତେଜଣ ବାଳିକା ଭୂତଳ ବିଦ୍ୟାଳୟରେ ପଢୁଛନ୍ତି, ସ୍ଥାନୀୟ ଘରୋଇ ବିଦ୍ୟାଳୟର ଶିକ୍ଷା କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି କିମ୍ବା ଦୂରଶିକ୍ଷା ଗ୍ରହଣ କରୁଛନ୍ତିି । ଅଳ୍ପ କେତେଜଣ ବିଦେଶରେ ପଢ଼ିବା ପାଇଁ ଦେଶ ଛାଡ଼ି ଚାଲିଯାଇଛନ୍ତି। ଆଫଗାନ ମହିଳାଙ୍କୁ ଅବଦମିତକରି ରଖିବାର ଏକ ଦୀର୍ଘ ମିଆଦୀ ତଥା ଭୟଙ୍କର ପରିଣାମ ରହିଛି। ନିକଟରେ ପ୍ରକାଶିତ ଜାତିସଂଘ ମହିଳା ରିପୋର୍ଟରୁ ଜଣାପଡ଼ିଛି , ଆଫଗାନିସ୍ତାନରେ ବାଲ୍ୟବିବାହ ୨୫% ବୃଦ୍ଧି ପାଇଛି। ଝିଅଙ୍କୁ ମାଧ୍ୟମିକ ଶିକ୍ଷାରୁ ବଞ୍ଚିତ କରିବା ଯୋଗୁ ଏଭଳି ଘଟିଛି। ମାନସିକ ଦୁଃଖ, ବିଷାଦ ଏବଂ ଆତ୍ମହତ୍ୟା ପ୍ରୟାସ ମଧ୍ୟ ବଢ଼ିଛି। ଏହା ବ୍ୟତୀତ ମାତୃ ମୃତ୍ୟୁ ହାର ଅତି କମ୍ରେ ୫୦% ବୃଦ୍ଧି ପାଇଛି , ବିଶେଷକରି ଯୁବତୀମାନଙ୍କ ପ୍ରସବକାଳୀମନ ମୃତ୍ୟୁ କାରଣରୁ ଏଭଳି ଘଟୁଛି।
ଉଲ୍ଲେଖନୀୟ ଯେ, ଅନ୍ତଃରାଷ୍ଟ୍ରୀୟ ସମୁଦାୟ ତାଲିବାନ୍ର ଅତ୍ୟାଚାରୀ ନୀତି ଉପରେ ଆଇନଗତ ପ୍ରତିକ୍ରିୟାକୁ ସଞ୍ଚାଳନ କରିବାରେ ଆଗକୁ ବଢ଼ିଛି। ମାର୍ଚ୍ଚ ୨୦୨୩ ରେ ଆଫଗାନ୍ ଆଇନ ବିଶେଷଜ୍ଞ ତଥା ମହିଳା ଅଧିକାର ସମର୍ଥକମାନେ ଲିଙ୍ଗଗତ ଭେଦଭାବ ଦୂରକରିବା ଏବଂ ଏହାକୁ ଏକ ଅନ୍ତଃରାଷ୍ଟ୍ରୀୟ ଅପରାଧ ଭାବେ ସ୍ବୀକୃତି ଦେବା ପାଇଁ ଅଭିଯାନ ଆରମ୍ଭ କରିଥିଲେ। ଏହାସହ ମହିଳା ଓ ଝିଅଙ୍କ ପ୍ରତି ବାଛବିଚାର ଉପରେ କାମ କରୁଥିବା ଜାତିସଂଘ ଓ୍ବାର୍କିଂ ଗ୍ରୁପ୍ ମାନବତା ବିରୋଧୀ ଅପରାଧ ଚୁକ୍ତିନାମାର ଚିଠାରେ ଲିଙ୍ଗଗତ ଭେଦଭାବକୁ ସାମିଲ କରିବାକୁ ସୁପାରିସ କରିଥିଲା। ଚିଠା ପ୍ରସ୍ତାବ ଉପରେ ଗଠିତ ଜାତିସଂଘ ଆଇନ କମିଟିର ଏପ୍ରିଲ ୨୦୨୪ ଅଧିବେଶନରେ ଅନେକ ସଦସ୍ୟ ରାଷ୍ଟ୍ର ଏହାକୁ ଅନ୍ତର୍ଭୁକ୍ତ କରିବା ପାଇଁ ସମର୍ଥନ ଜଣାଇଥିଲେ । ଜାନୁଆରୀ ୨୦୨୬ ରେ ହେବାକୁ ଥିବା ବୈଠକରେ ଲିଙ୍ଗଗତ ଭେଦଭାବ ସଂଜ୍ଞା ଉପରେ ଆଲୋଚନା କରାଯିବ। ଏକ ବ୍ୟବସ୍ଥାଗତ ଶାସନ କ୍ଷମତା ଜାରି ରଖିବା ଲକ୍ଷ୍ୟରେ କରାଯାଉଥିବା ଯୋଜନାବଦ୍ଧ ଭେଦଭାବ, ନିର୍ଯାତନା ଏବଂ ଦମନକୁ ଏକ ଅମାନବିକ କାର୍ଯ୍ୟ ଭାବେ ସ୍ବୀକୃତି ଦେବାର ଯେଉଁ ପ୍ରସ୍ତାବ ରହିଛି ତାହା ଉପରେ ବିଚାର କରିବ। ଏହାସହ ଏହି ସଂଜ୍ଞାରେ ଶିକ୍ଷା, ସ୍ବାସ୍ଥ୍ୟସେବା ଓ ରୋଜଗାର ତଥା ଅଭିବ୍ୟକ୍ତିର ସ୍ବାଧୀନତା, ସମାବେଶ ଏବଂ ରାଜନୈତିକ, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଜୀବନରେ ଅଂଶଗ୍ରହଣ ଭଳି ମୌଳିକ ମାନବ ଅଧିକାର ଉଲ୍ଲଂଘନକୁ ସାମିଲ କରିବ। ପ୍ରସ୍ତାବିତ ଚୁକ୍ତି ଯୋଜନାବଦ୍ଧ ଭେଦଭାବର ଶିକାର ହୋଇଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ କରିପାରିବ କି? ମାନବିକତା ବିରୋଧରେ ଅପରାଧର ବିଚାର ପାଇଁ ଏହା ସଦସ୍ୟ ଦେଶଗୁଡ଼ିକୁ ବାଧ୍ୟ କରୁଥିବାବେଳେ ଏହାର କାର୍ଯ୍ୟକାରୀ ପ୍ରକ୍ରିୟା ସୀମିତ ରହିଛି। ବର୍ତ୍ତମାନର ପ୍ରସ୍ତାବିତ ଚିଠାରେ ଅପରାଧକୁ ଦମନ କରିବାର ଦୃଢ଼ ପ୍ରତିବଦ୍ଧତା ନାହିଁ , ଯାହା ଲିଙ୍ଗଗତ ଭେଦଭାବ ଅପରାଧର ଦମନ ଏବଂ ଦଣ୍ଡ ଉପରେ ହୋଇଥିବା ୧୯୭୩ ଅନ୍ତର୍ଜାତୀୟ ସମ୍ମିଳନୀର ଏକ ପ୍ରମୁଖ ସର୍ତ୍ତ ଥିଲା। ତେବେ ଚିଠା ଚୁକ୍ତିନାମା ଲିଙ୍ଗଗତ ଭେଦଭାବ ସୃଷ୍ଟିକରି ଜାରି ରଖିଥିବା ବ୍ୟବସ୍ଥା ଓ ସଂସ୍ଥାଗୁଡ଼ିକୁ ଅଣଦେଖା କରି ବ୍ୟକ୍ତିବିଶେଷଙ୍କ ଆପରାଧିକ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦେଇଛି।
ଅନ୍ତର୍ଜାତୀୟ ସମୁଦାୟ ଏହା ସ୍ପଷ୍ଟ କରିବା ଉଚିତ ଯେ, ତାଲିବାନ୍ ମହିଳାଙ୍କୁ ଦେଉଥିବା ନିର୍ଯାତନା ଶେଷ ନ କରିବା ପର୍ଯ୍ୟନ୍ତ ତା’ ସହ ସ୍ବାଭାବିକ ସମ୍ପର୍କ ରଖିବ ନାହିଁ। ମୁଖ୍ୟତଃ ମୁସଲମାନ ଦେଶଗୁଡ଼ିକ ଏହା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ଉଲ୍ଲେଖନୀୟ ଯେ, ତାଲିବାନ୍ ଓ ପାଶ୍ଚାତ୍ୟ ମଧ୍ୟରେ ମଧ୍ୟସ୍ଥ ହୋଇଥିବା କାତାର ମଧ୍ୟ ସାଉଦି ଆରବ ଭଳି ତାଲିବାନ୍ ନୀତିକୁ ନିନ୍ଦା କରିଛି। ସଂଯୁକ୍ତ ଆରବ ସଂଘ ଆଫଗାନିସ୍ତାନର ବାଳିକା ଶିକ୍ଷା ଉପରେ ନିଷେଧାଦେଶକୁ ଇସ୍ଲାମର ନୀତିଶିକ୍ଷାର ଉଲ୍ଲଂଘନ ବୋଲି ଦର୍ଶାଇଛି ଏବଂ ଏହାକୁ ଶୀଘ୍ର ପରିବର୍ତ୍ତନ କରିବାକୁ ପଡିବ ବୋଲି କହିଛି।
ମହିଳାଙ୍କ ବିରୋଧରେ ସବୁ ପ୍ରକାର ବାଛବିଚାର ଦୂରକରିବାକୁ ନେଇ କରାଯାଇଥିବା ଚୁକ୍ତିର ଉଲ୍ଲଂଘନ କରୁଥିବା ଆଫଗାନିସ୍ତାନ ବିରୋଧରେ ଅନ୍ତର୍ଜାତୀୟ ନ୍ୟାୟାଳୟରେ ମୁସଲମାନ ବହୁଳ ଦେଶଗୁଡ଼ିକ ଏକ ମାମଲା ଦାଏର କରିବା ଉଚିତ। ଏହା କରିବା ଦ୍ୱାରା ଏକ ସ୍ପଷ୍ଟ ବାର୍ତ୍ତା ଯିବ ଯେ, ତାଲିବାନ୍ ଶାସନ ଯେପର୍ଯ୍ୟନ୍ତ ଏହାର ଅତ୍ୟାଚାରୀ ନୀତି ବଜାୟ ରଖିବ, ସେ ପର୍ଯ୍ୟନ୍ତ ତାହାକୁ କୌଣିସିଥିରେ ସାମିଲ କରାଯିବ ନାହିଁ କିମ୍ବା ସ୍ବୀକୃତି ଦିଆଯିବ ନାହିଁ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଭଳି ପଦକ୍ଷେପ ଆଫଗାନ୍ ଯୁବତୀଙ୍କୁ ଏକାଠି କରିବ ଓ ସେମାନଙ୍କ ମନରେ ଆଶା ସୃଷ୍ଟିକରିବ। ସେମାନଙ୍କ ନିର୍ଯାତନାକୁ ଅଣଦେଖା କରାଯାଇ ନାହିଁ ଏବଂ ସେମାନଙ୍କ ଉତ୍ପୀଡ଼କ ଏଥିପାଇଁ ଉତ୍ତରଦାୟୀ ରହିବେ ବୋଲି ଏହା ଏକ ବାର୍ତ୍ତା ମଧ୍ୟ ଦେବ।
ଗର୍ଡନ ବ୍ରାଉନ
ପୂର୍ବତନ ପ୍ରଧାନମନ୍ତ୍ରୀ, ବ୍ରିଟେନ୍