ତାଲିବାନର କଡ଼ା ଚେତାବନୀ,କାହାକୁ ଦେଶ ଛାଡ଼ିବାକୁ ଦିଆଯିବ ନାହିଁ…

କାବୁଲ,୨୫।୮: ଆଫଗାନିସ୍ତାନକୁ ୨୦ ବର୍ଷ ପରେ ତାଲିବାନ ପୁନର୍ବାର ନିଜ ଦଖଲ ନେଇଛି। ତାଲିବାନ ୧୫ ଅଗଷ୍ଟରେ ନେକାବୁଲକୁ କାବୁ କରିଥିଲା। ଏହା ପରେ ରାଷ୍ଟ୍ରପତି ଅଶରଫ ଘନି ଦେଶ ଛାଡିଥିଲେ। ଜୀବନ ଭୟରେ ଏବେ ସାଧାରଣ ଲୋକେ ଯେ କୌଣସି ମୂଲ୍ୟରେ ଆଫଗାନିସ୍ତାନ ଛାଡିବାକୁ ଚେଷ୍ଟା କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ହଜାର ହଜାର ଲୋକ ଦେଶ ଛାଡିଛନ୍ତି, କିନ୍ତୁ ଏବେ ତାଲିବାନ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ଯେ କୌଣସି ଆଫଗାନିସ୍ତାନ ନାଗରିକଙ୍କୁ ଦେଶ ଛାଡିବାକୁ ଦିଆଯିବ ନାହିଁ।
ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି ଆଫଗାନିସ୍ତାନ ନାଗରିକ ଦେଶ ଛାଡି ପାରିବେ ନାହିଁ। ତେବେ ବିଦେଶୀ ନାଗରିକମାନେ ନିଜ ନିଜ ଦେଶକୁ ଫେରିପାରିବେ। ତେଣୁ ବିମାନ ବନ୍ଦରକୁ ଯାଉଥିବା ରାସ୍ତାକୁ ଅବରୋଧ କରାଯାଇ ଥିବା ସେ କହିଛନ୍ତି। ଆଫଗାନିସ୍ତାନୀମାନେ ସେହି ରାସ୍ତା ଦେଇ ବିମାନବନ୍ଦରକୁ ଯାଇପାରିବ ନାହିଁ। ଅପରପକ୍ଷରେ ବିଦେଶୀ ନାଗରିକଙ୍କୁ ବିମାନବନ୍ଦରକୁ ଯିବାକୁ ଅନୁମତି ଦିଆଯିବ। ଜାବୁଲ୍ଲା କହିଛନ୍ତି ଯେ ଅତୀତରେ ଦେଶ ଛାଡିଥିବା ସମସ୍ତ ଆଫଗାନିସ୍ତାନ ନାଗରିକମାନେ ନିଜ ଦେଶକୁ ଫେରି ଆସିବା ଉଚିତ। ଆମେ ଆଉ ଆଫଗାନିସ୍ତାନୀଙ୍କୁ ଦେଶ ଛାଡିବାକୁ ଦେବୁ ନାହିଁ, ଏନେଇ ଆମେ ମଧ୍ୟ ଖୁସି ନୁହଁ ବୋଲି ସେ କହିଛନ୍ତି। ଆଫଗାନିସ୍ତାନର ଡାକ୍ତର ଏବଂ ଶିକ୍ଷାବିତ୍‌ମାନେ ଦେଶ ଛାଡିବା ଅନୁଚିତ। ସେମାନେ ନିଜ ଦେଶରେ କାମ କରିବା ଆବଶ୍ୟକ। ସୂଚନାଯୋଗ୍ୟ, ଇତିମଧ୍ୟରେ କାବୁଲରୁ ୭୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏଥିରେ ଆମେରିକୀୟ ନାଗରିକ, ନାଟୋ କର୍ମଚାରୀ ଏବଂ ଆଫଗାନିସ୍ତାନ ନାଗରିକ ଅନ୍ତର୍ଭୁକ୍ତ। ତାଲିବାନର ଏହି ବିବୃତ୍ତି ଉପରେ ହ୍ବାଇଟ ହାଉସର ପ୍ରେସ ସଚିବ ଜେନ ସାକି କହିଛନ୍ତି ଯେ ଏହା ଆଫଗାନିସ୍ତାନ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଆମେରିକା ଏହାକୁ ପ୍ରାଥମିକତା ଦେଇଛି। ସେ କହିଛନ୍ତି ଯେ ତାଲିବାନକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି। ଏଭଳି ଲୋକଙ୍କୁ ବିମାନବନ୍ଦରରେ ପହଞ୍ଚିବାରେ କୌଣସି ବାଧା ସୃଷ୍ଟି କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି।

Share