Categories: ଜାତୀୟ

ତାଲିବାନ-ଭାରତ ସମ୍ପର୍କରେ ସୁଧାର, ଆରମ୍ଭ ହେବ ବିମାନ ସେବା…

ନୂଆଦିଲ୍ଲୀ/କାବୁଲ, ୧୨।୬ : ଭାରତ ଏବଂ ତାଲିବାନ ମଧ୍ୟରେ ସମ୍ପର୍କରେ ସୁଧାର ହେବାରେ ଲାଗିଛି। ତାଲିବାନ ଆଫଗାନିସ୍ତାନରେ କ୍ଷମତା ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଭାରତର ଏକ ସରକାରୀ ପ୍ରତିନିଧୀ ଦଳ ୨ ଜୁନ ୨୦୨୨ରେ ଆଫଗାନିସ୍ତାନ ଗସ୍ତ କରିଥିଲେ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ବିମାନ ସେବା ପୁଣି ଆରମ୍ଭ କରାଯିବା ନେଇ ସହମତି ପ୍ରକାଶ ପାଇଥିଲା। ଆସନ୍ତା ସପ୍ତାହରୁ ଦୁଇ ଦେଶ ମଧ୍ୟରେ ବିମାନ ସେବା ଆରମ୍ଭ ହେବ ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି।

ଆଫଗାନିସ୍ତାନର ଅଗ୍ରଣୀ ବିମାନ କମ୍ପାନୀ ଏରିଆନା ଆଫଗାନିସ୍ତାନର ମୁଖ୍ୟ ରହମୁତୁଲ୍ଲା ଆଗା ଘୋଷଣା କରିଛନ୍ତି ଯେ ଆଫଗାନିସ୍ତାନରୁ ଭାରତ, ଚାଇନା ଏବଂ କୁଏତକୁ ବିମାନ ଉଡ଼ାଣ ଶୀଘ୍ର ଆରମ୍ଭ ହେବ। କିନ୍ତୁ ତାଙ୍କର ମୁଖ୍ୟ ଲକ୍ଷ୍ୟ ନୂଆଦିଲ୍ଲୀ ଉପରେ ହିଁ ଥିଲା ବୋଲି ଚର୍ଚ୍ଚା ହେଉଛି। ତାଲିବାନ କହିଛି ଯେ ଭାରତ ସହିତ ବିମାନ ସେବା ଜରୁରୀ।

ଇତି ମଧ୍ୟରେ ତାଲିବାନ ମଧ୍ୟ ଆଫଗାନିସ୍ତାନର ପୂର୍ବ ସରକାରରେ ଥିବା ଜାତୀୟ ପରିଷଦର ପୂର୍ବତନ ଅଧ୍ୟକ୍ଷ ଡ.ଅବଦୁଲ୍ଲା ଅବଦୁଲ୍ଲାଙ୍କୁ ଭାରତରୁ ଆଫଗାନିସ୍ତାନକୁ ଫେରିବାକୁ ଅନୁମତି ଦେଇଛି। ଏହା ସହିତ ତାଲିବାନ ଗ୍ରହଣ କରିଥିବା ବଡ଼ ନିଷ୍ପତ୍ତି ଅନ୍ତର୍ଗତ ଆଫଗାନିସ୍ତାନର ପୂର୍ବ ସରକାରରେ ସୃଷ୍ଟି ହୋଇଥିବା କିଛି ବିଭାଗ ଏବଂ ଅନୁଷ୍ଠାନକୁ ବିଲୋପ କରାଯାଇଛି। ଜାତୀୟ ପୁନଃସମନୱୟ ପାଇଁ ଗଠିତ ଉଚ୍ଚ ପରିଷଦକୁ ମଧ୍ୟ ବିଲୋପ କରାଯାଇଛି।

ଏହା ପୂର୍ବରୁ ଆତଙ୍କବାଦ ବିରୋଧରେ ତାଲିବାନ ସରକାରକୁ ମଜବୁତ କରିବାକୁ ଚାହୁଁଥିବା ୟୁଏନଏସସିରେ ଭାରତ ଏକ ସଂକଳ୍ପ ଉପସ୍ଥାପନ କରିଥିଲା। ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ କହିଛନ୍ତି ଯେ ଆଞ୍ଚଳିକ ଶାନ୍ତି ଏବଂ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଥିବା ଆତଙ୍କବାଦ ତଥା ଆତଙ୍କବାଦୀ ଗୋଷ୍ଠୀକୁ ମୁକାବିଲା କରିବା ପାଇଁ ଆଫଗାନିସ୍ତାନର ଦକ୍ଷତା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ୟୁଏନଏସସିରେ ଭାରତ ଉପସ୍ଥାପନ କରିଥିବା ରିପୋର୍ଟରେ ଏହି ମନ୍ତବ୍ୟ ଦିଆଯାଇଛି।

ଏହି ରିପୋର୍ଟରେ କୁହାଯାଇଛି ଯେ ଆଫଗାନିସ୍ତାନରେ ଜୈଶ-ଇ-ମହମ୍ମଦ ଏବଂ ଲଶ୍କର-ଇ-ତୋଏବା ଭଳି ଭାରତ ବିରୋଧୀ ବିଦେଶୀ ଆତଙ୍କବାଦୀ ଗୋଷ୍ଠୀ ସକ୍ରିୟ ରହିଛନ୍ତି।

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ବିମାନ ସେବା ଆରମ୍ଭ ହେବା ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କର ସ୍ବାଭାବିକ ହେବା ପାଇଁ ନିଷ୍ପତ୍ତିକୁ ଆଫଗାନିସ୍ତାନ ବ୍ୟବସାୟୀମାନେ ସ୍ବାଗତ କରିଛନ୍ତି। ଆଫଗାନିସ୍ତାନ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଆଫଗାନିସ୍ତାନ କୃଷି ଏବଂ ପଶୁପାଳନ ବଣିକ ସଂଗଠନର ସଦସ୍ୟ ମିରୱାଜ ହାଜି ଜାଦା କହିଛନ୍ତି ଯେ ଆମର କୃଷି କ୍ଷେତ୍ର ପାଇଁ ଭାରତୀୟ ବଜାର ଏକ ଉତ୍ତମ ସୁଯୋଗ ।

ସେ କହିଛନ୍ତି ଯେ ଆଫଗାନିସ୍ତାନର ଅଙ୍ଗୁର, ଡାଳିମ୍ବ, ଆପ୍ରିକେଟ, ସାଫ୍ରନ ଏବଂ ଔଷଧୀୟ ଉଦ୍ଭିଦର କାରବାର ଏହା ଦ୍ୱାରା ବୃ୍‌ଦ୍ଧି ପାଇବ। ଭାରତ ସହିତ ବାଣିଜ୍ୟ ଆରମ୍ଭ ହେବା ଦ୍ୱାରା ଉଭୟ ଦେଶକୁ ଏହାର ଲାଭ ମିଳିବ ବୋଲି ସେ କହିଛନ୍ତି।

Share