ବୁର୍ଖା ପିନ୍ଧି ନ ଥିବାରୁ ଗଲା ଜୀବନ

କାବୁଲ,୫ା୮- ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରୁ ବିଦେଶୀ ସୈନ୍ୟମାନେ ସ୍ବଦେଶ ଫେରୁଥିବା ବେଳେ ନିରୀହ ନାଗରିକମାନଙ୍କୁ ଟାର୍ଗେଟ କରୁଛନ୍ତି ଆତଙ୍କବାଦୀ। ତାଲିବାନ ଆତଙ୍କବାଦୀମାନେ ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ତାଙ୍କର ଦୋଷ ହେଲା ସେ ବୁର୍ଖା ପିନ୍ଧି ନ ଥିଲେ। ବୁର୍ଖା ପିନ୍ଧି ନ ଥିବାରୁ ତାଙ୍କୁ କାର୍‌ରୁ ଘୋଷାରିଆଣି ଗୁଳି କରି ହତ୍ୟା କରାଯାଇଛି। ଏ ନେଇ ଆଫଗାନ୍‌ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଛି। ହେଲେ ଏହାକୁ ଖଣ୍ଡନ କରିଛନ୍ତି ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ।

ଆଫଗାନିସ୍ତାନରେ ଇସ୍‌ଲାମିକ୍‌ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ଚାହୁଁଛି ତାଲିବାନ। ଇସ୍‌ଲାମିକ୍‌ କଠୋର ଆଇନରକୁ ଆପଣେଥିବା ତାଲିବାନ ଅନୁସାରେ ଝିଅମାନେ ସ୍କୁଲ ଯାଇପାରିବେ ନାହିଁ। ସ୍ବାମୀଙ୍କ ଛଡ଼ା ଅନ୍ୟ କୌଣସି ପୁରୁଷ ସହ ସମ୍ପର୍କରେ ରଖିଲେ ମହିଳାଙ୍କୁ ଷ୍ଟାଡିୟମ୍‌ରେ ଟେକାମାଡ଼ କରି ହତ୍ୟା କରାଯିବ। ମହିଳାମାନେ ସର୍ବଦା ମସ୍ତକ ଘୋଡ଼ାଇ ରଖିବାକୁ ବାଧ୍ୟ। ପରିବାରର ପୁରୁଷ ସଦସ୍ୟଙ୍କ ବିନା ଘରୁ ବାହାରିବା ଅନୁଚିତ। ତାଲିବାନ ଦଖଲରେ ଥିବା କେତେକ ଅଞ୍ଚଳରେ ମହିଳାଙ୍କ ବିରୋଧରେ ଏଭଳି କଠୋର ଆଇନ ବ୍ୟବସ୍ଥା କରାଯାଇଛି। ୧୯୯୬ରୁ ୨୦୦୧ ପର୍ଯ୍ୟନ୍ତ ଆଫଗାନିସ୍ତାନରେ ତାଲିବାନର ଏଭଳି ଶାସନ ଚାଲିଥିଲା। ୨୦୦୧ରେ ଆମେରିକା ନେତୃତ୍ୱାଧୀନ ସାମରିକ ମେଣ୍ଟର ଆକ୍ରମଣ ପରେ ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆସିଥିଲା।

Share