ଭାରତୀୟ ବଜେଟ୍‌କୁ ସ୍ବାଗତ କଲା ତାଲିବାନ୍‌

କାବୁଲ,୩।୨: ବଜେଟ-୨୦୨୩କୁ ନେଇ ଭାରତରେ ପରିବେଶ ଏବେ ସରଗରମ ରହିଛି। ଫେବୃୟାରୀ ୨ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କେନ୍ଦ୍ର ବଜେଟ ୨୦୨୩-୨୦୨୪ ଉପସ୍ଥାପନ କରିଛନ୍ତି। କିଛି ଲୋକ ଏହାକୁ ଏକ ଭଲ ବଜେଟ ଏବଂ କେହି କେହି ଏହାକୁ ନିରାଶାଜନକ ବଜେଟ ବୋଲି କହିଛନ୍ତି। କିନ୍ତୁ ୨୦୨୩-୨୦୨୪ ଭାରତୀୟ ବଜେଟକୁ ତାଲିବାନ ପସନ୍ଦ କରିଛି। ତାଲିବାନ ଭାରତର ୟୁନିଅନ ବଜେଟ ୨୦୨୩-୨୦୨୪କୁ ସ୍ବାଗତ କରିଛି ଏବଂ ଆଫଗାନିସ୍ତାନ ପାଇଁ ଭାରତ ଦ୍ୱାରା କରାଯାଇଥିବା ସହାୟତା ଘୋଷଣା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବଂ ବିଶ୍ୱାସକୁ ସୁଦୃଢ କରିବ ବୋଲି କହିଛି।
ତାଲିବାନଙ୍କ ମନ୍ତବ୍ୟ କେନ୍ଦ୍ର ବଜେଟରେ ଆଫଗାନିସ୍ତାନ ପାଇଁ ୨୫ ମିଲିୟନ ଡଲାରର ବିକାଶ ସହାୟତା ପ୍ୟାକେଜ ପ୍ରସ୍ତାବ ଦେବା ପରେ ଆସିଛି। ଭାରତର ବଜେଟକୁ ସ୍ବାଗତ କରି ତାଲିବାନ ସଦସ୍ୟ ସୁହେଲ ଶାହିନ କହିଛନ୍ତି, ଆଫଗାନିସ୍ତାନର ବିକାଶ ପାଇଁ ଭାରତର ସମର୍ଥନକୁ ଆମେ ପ୍ରଶଂସା କରୁଛୁ। ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କ ଏବଂ ବିଶ୍ୱାସକୁ ସୁଦୃଢ କରିବାରେ ସାହାଯ୍ୟ କରିବ। ପୂର୍ବରୁ ଆଫଗାନିସ୍ତାନରେ ଏଭଳି ଅନେକ ପ୍ରକଳ୍ପ ଥିଲା, ଯାହାକୁ ଭାରତ ଦ୍ୱାରା ଅର୍ଥ ପ୍ରଦାନ କରାଯାଉଥିଲା। ଯଦି ଭାରତ ଏହି ପ୍ରକଳ୍ପଗୁଡିକ ଉପରେ କାର୍ଯ୍ୟ ଆରମ୍ଭ କରେ, ତେବେ ଏହା ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବ ଏବଂ ଅବିଶ୍ୱାସ ଦୂର କରିବ।
ସୂଚନାଯୋଗ୍ୟ, ଅଗଷ୍ଟ ୨୦୨୧ରେ ତାଲିବାନ କାବୁଲରେ କ୍ଷମତା ଦଖଲ କରିଥିଲା। ଏହା ପରେ ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଗଲା ଏବଂ ଭାରତ ଦ୍ୱାରା ପରିଚାଳିତ ଯୋଜନା ବନ୍ଦ ହୋଇଯାଇଥିଲା। ଏବେ ଆଫଗାନିସ୍ତାନକୁ ବିକାଶ ସହାୟତା ପାଇଁ ଭାରତ ୨୦୦ କୋଟି ଟଙ୍କା ପ୍ରତିଶ୍ରୁତି ଦେଇଛି।

Share