୯/୧୧ରେ ହୋଇପାରେ ଶପଥ ପାଠ

କାବୁଲ,୯।୯: ଆସନ୍ତା ୧୧ ତାରିଖରେ ଆମେରିକାର ଟ୍ବିନ ଟାଓ୍ବାର ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରିପାରେ ତାଲିବାନ୍‌। କିଛି ରିପୋର୍ଟ ଅନୁଯାୟୀ, ଉତ୍ସବ ଲାଗି ଚାଇନା, ତୁର୍କୀ, ପାକିସ୍ତାନ, ଇରାନ, କାତାର, ଭାରତ ଓ ଆମେରିକାକୁ ଆମନ୍ତ୍ରଣ କରାଯାଇ ସାରିଛି ତାଲିବାନ୍‌। ବିଶ୍ୱ ସମୂହ ଆଫଗାନିସ୍ତାନରେ ତାଲିବାନ୍‌କୁ ସରକାର ମାନ୍ୟତା ଦେଇ ନ ଥିବା ବେଳେ ଏହି ଉତ୍ସବ ଆୟୋଜନ କରାଯିବ।

ଦୁଇ ଥର ବାତିଲ କରିବା ପରେ ଗତ ମଙ୍ଗଳବାର ତାଲିବାନ୍‌ ତା’ର ଅନ୍ତରୀଣ ସରକାର ଘୋଷଣା କରିଥିଲା। ତାଲିବାନ୍‌ର ସୁପ୍ରିମ ଲିଡର ହିବାତୁଲା ଅଖୁନ୍ଦଜାଦାଙ୍କ ନେତୃତ୍ୱାଧୀନ ସରକାରରେ ପ୍ରାୟ ଅନ୍ତର୍ଜାତୀୟ ଆତଙ୍କବାଦୀଙ୍କୁ ସ୍ଥାନ ଦିଆଯାଇଛି।

ଆସନ୍ତା କିଛି ଦିନରେ କାବୁଲରେ ଏକ ଉତ୍ସବର ଆୟୋଜନ ହୋଇପାରେ। ଏହି ଉତ୍ସବ କେବେ ହେବ ତାହାର କୌଣସି ସ୍ପଷ୍ଟ ସୂଚନା ନାହିଁ। ତେବେ ଆମେରିକାକୁ ଲଜ୍ଜିତ କରିବା ପାଇଁ ୯/୧୧ ତାରିଖକୁ ଶପଥ ପାଠ ପାଇଁ ବଛା ଯାଇପାରେ। ଆଫଗାନିସ୍ତାନକୁ କବ୍‌ଜା କରିବା ପରେ ତାଲିବାନ୍‌ ପ୍ରବକ୍ତା ଜାବିହୁଲା ମୁଜାହିଦ କହିଥିଲେ, ଓସାମା ବିନ ଲାଡେନ ସେପ୍ଟେମ୍ବର ୧୧ ଆକ୍ରମଣରେ ସମ୍ପୃକ୍ତ ଥିବା କୌଣସି ପ୍ରମାଣ ମିଳି ନାହିଁ। ଆମେରିକା ପାଇଁ ଚିନ୍ତା ପାଲଟି ଥିବାବେଳେ ସେ ଆଫଗାନିସ୍ତାନରେ ଥିଲେ।

Share