ମହିଳାଙ୍କ ପାଇଁ ତାଲିବାନର ଆଉ ଏକ ନୂଆ ନିୟମ: ବିନା ପୁରୁଷ ଅଭିଭାବକରେ ବିମାନରେ ଯାତ୍ରା ମନା

କାବୁଲ,୨୯ ।୩: ଆଫଗାନିସ୍ତାନକୁ ନିଜ କବଜାକୁ ନେବା ପରେ ତାଲିବାନର ଶାସନ ବେଳକୁ ବେଳ କଠୋର ହୋଇ ଚାଲିଛି । ଯାହା ଅନୁମାନ କରାଯାଉଥିଲା ଏବେ ତାହାହିଁ ଘଟୁଥିବା ପରିଲକ୍ଷିତ ହେଉଛି । ବିଶେଷ କରି ମହିଳାଙ୍କ ଉପରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଲଗାଇ ଚାଲିଛି ତାଲିବାନ । ନିକଟରେ ତାଲିବାନର ଆଉ ଏକ ତୋଗଲକି ଶାସନ ଦେଖିବାକୁ ମିଳିଛି । ଏହା ହେଉଛି ଏବେ ମହିଳାମାନେ ଏକେଲା ବିମାନ ଯାତ୍ରା କରିପାରିବେ ନାହିଁ ।
ସୂଚନା ଅନୁଯାୟୀ, ଆଫଗାନ ଏୟାର ଲାଇନ୍ସର ଅଧିକାରୀମାନେ କହିଛନ୍ତି, ରବିବାର କେତେଜଣ ମହିଳାଙ୍କୁ କାବୁଲ ବିମାନ ବନ୍ଦରରେ ଅଟକାଇ ଦିଆଯାଇଥିଲା କାରଣ ସେମାନଙ୍କ ସହ କେହି ପୁରୁଷ ଅଭିଭାବକ ନ ଥିଲେ । ସେମାନଙ୍କୁ କୁହାଯାଇଥିଲା କି ସେମାନେ ବିନା ପୁରୁଷ ଅଭିଭାବକରେ ଯାତ୍ରା କରିପାରିବେ ନାହିଁ । ଏହାର କାରଣ ପଚାରିବାରୁ ଉତ୍ତର ମିଳିଥିଲା ଏହା ତାଲିବାନର ନିର୍ଦ୍ଦେଶ । ଅନ୍ୟପଟେ ଏମିତି କେତେଜଣ ମହିଳାଙ୍କୁ ଅଧିକାରୀମାନେ ଯାତ୍ରା କରିବାକୁ ଦେଇ ନ ଥିଲେ ଯେଉଁମାନଙ୍କ ନିକଟରେ ଦୁଇଟି ଦେଶର ନାଗରିକତା ରହିଥିଲା ।
ରିପୋର୍ଟ ଅନୁଯାୟୀ, ବିମାନବନ୍ଦର ମୁଖ୍ୟ ଓ ପୋଲିସ ମୁଖ୍ୟଙ୍କ ପୋଷ୍ଟ ନିକଟରେ ଏବେ ତାଲିବାନର ଇସଲାମ ମୌଲବି ଜଗି ରହିଛନ୍ତି । ଉଭୟ ଶନିବାର ଏୟାରଲାଇନ୍ସ ଅଧକାରୀଙ୍କ ସହ ଏକ ବୈଠକ କରିଥିଲେ । ଏଥିରେ ନିଷ୍ପତ୍ତି ନିଆଯାଇଥିଲା କି କୌଣସି ମହିଳା ୭୨ କିଲୋମିଟରରୁ ଅଧିକ ଯାତ୍ରା ଏକେଲା କରିପାରିବେ ନାହିଁ । ସେମାନେ ସାଥିରେ ଜଣେ ପୁରୁଷ ଅଭିଭାବକଙ୍କୁ ନେବା ଜରୁରୀ । ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ କୁହାଯାଇଛି । ଏହାପରେ ବିମାନ ବନ୍ଦର ଅଧିକାରୀ ଏହାକୁ ପାଳନ କରିବା ଆରମ୍ଭ କରିଦେଇଛନ୍ତି ।

Share