ଇସ୍‌ଲାମିକ୍‌ ଆଇନ କାର୍ଯ୍ୟ କରିବାକୁ ତାଲିବାନ୍‌ ସରକାରଙ୍କ ନିର୍ଦ୍ଦେଶ

କାବୁଲ,୧୫ା୧୧: ତାଲିବାନ୍‌ର ପ୍ରଥମ ପାଳି ଶାସନ ବେଳେ ଆଫାଗାନିସ୍ତାନବାସୀ ଅଣନିଃଶ୍ୱାସୀ ହୋଇପଡିଥିଲେ। ତାଲିବାନ୍‌ର ଦ୍ୱିତୀୟ ଶାସନ ପାଳିରେ ମଧ୍ୟ ଫେରୁଛି ବର୍ବରତା। ୨୦୨୧ ଅଗଷ୍ଟ ୧୫ରେ କାବୁଲ ଦଖଲ ପରେ ଅନ୍ତର୍ଜାତୀୟ ସ୍ବୀକୃତି ଆଶାରେ ତାଲିବାନ୍‌ ଶାସକ ପୂର୍ବାପେକ୍ଷା ନରମ ଆଭିମୁଖ୍ୟ ଦେଖାଇଥିଲେ। ହେଲେ ତାଲିବାନ୍‌ର ମୁଖ୍ୟ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ସରକାରଙ୍କ ପରିବର୍ତ୍ତିତ ଆଭିମୁଖ୍ୟ ସମ୍ପର୍କରେ ଟୁଇଟ୍‌ କରିଛନ୍ତି। ଏଥିରେ ସେ କହିଛନ୍ତି, ଇସ୍‌ଲାମୀୟ ଆଇନକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ପାଇଁ ବିଚାରପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ଚୋର, ଅପହରଣକାରୀ ଓ ଦେଶଦ୍ରୋହୀଙ୍କ ଫାଇଲ ଯାଞ୍ଚ କରିବାକୁ ବିଚାରପତିଙ୍କୁ କୁହାଯାଇଛି। ଏଥିଯୋଗୁ ଆଗାମୀ ଦିନରେ ସର୍ବସାଧାରଣରେ ମୃତ୍ୟୁଦଣ୍ଡ ଦେବା, ଅଙ୍ଗ ଛେଦନ, ଟେକାମାଡ଼ କରି ହତ୍ୟା ଭଳି ଦୃଶ୍ୟ ଦେଖିବାକୁ ମିଳିପାରେ।

Share