ପେଶାଓ୍ବର,୩।୯: ଚାଇନା ଆମର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ। ଆଫଗାନିସ୍ତାନର ପୁନଃ ନିର୍ମାଣ ଓ ଖଣିଜ ସମ୍ପଦ ଉତ୍ତୋଳନ କ୍ଷେତ୍ରରେ ବେଜିଂ ଆମକୁ ସହଯୋଗ କରିବ ବୋଲି ଶୁକ୍ରବାର ତାଲିବାନ୍ ପକ୍ଷରୁ କୁହାଯାଇଛି। ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନରେ ଦାରିଦ୍ର୍ୟ, କ୍ଷୁଧା ଓ ଆର୍ଥିକ ସଙ୍କଟ ଘନେଇବାରେ ଲାଗିଥିବା ବେଳେ ଚାଇନାଠାରୁ ଏପରି ସହଯୋଗ ଆଶା କରିଛି ଆତଙ୍କବାଦୀ ସଙ୍ଗଠନ ତାଲିବାନ୍।
ସଙ୍ଗଠନର ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି, ତାଲିବାନ୍ ଚାଇନାର ଓ୍ବାନ୍ ବେଲ୍ଟ ଓ୍ବାନ୍ ରୋଡ୍ (ଓବିଓଆର୍) ପ୍ରକଳ୍ପକୁ ସମର୍ଥନ କରୁଛି। ଏହି ମହତ୍ତ୍ୱାକାଂକ୍ଷୀ ଯୋଜନାରେ ଚାଇନା ଆଫ୍ରିକା, ଏସିଆ ଓ ୟୁରୋପକୁ ଯୋଡ଼ିବା ଲାଗି ବନ୍ଦରଗୁଡ଼ିକର ଏକ ବୃହତ୍ ନେଟ୍ଓ୍ବର୍କ, ରେଳପଥ, ସଡ଼କ ଓ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କରୁଛି। ଆଫଗାନିସ୍ତାନର ପୁନଃ ନିର୍ମାଣ ଲାଗି ଆମ ପାଇଁ ଚାଇନା ଅଭୂତପୂର୍ବ ସୁଯୋଗ ଆଣିଦେବ। ଚାଇନା ଆମର ମହତ୍ତ୍ୱପୂର୍ଣ୍ଣ ସହଯୋଗୀ ବୋଲି ଗୁରୁବାର ଏକ ଇଟାଲୀୟ ଖବରକାଗଜକୁ ସାକ୍ଷାତ୍କାର ଦେଇ ମୁଜାହିଦ୍ କହିଛନ୍ତି। ସେହିପରି ରୁଷିଆକୁ ନେଇ ମଧ୍ୟ ତାଲିବାନ୍ ସକାରାମତ୍କ ମନ୍ତବ୍ୟ ଦେଇଛି। ମସ୍କୋ ସହିତ ଆମ ସୁସମ୍ପର୍କ ବଜାୟ ରହିବ ବୋଲି ମୁଜାହିଦ୍ ଆଶା ବ୍ୟକ୍ତ କରିଛନ୍ତି।