ଗୁରୁ ଗ୍ରନ୍ଥ ସାହେବ ନେଇ ଭାରତ ଫେରୁଥିବା ଭାରତୀୟଙ୍କୁ ରୋକିଲା ତାଲିବାନ, ପ୍ରଧାନମନ୍ତ୍ରୀଙ୍କ ସହାୟତା ପାଇଁ ଅପିଲ୍‌…

କାବୁଲ, ୧୫।୯ : ତାଲିବାନ ୧୧ ସେପ୍ଟେମ୍ବରରେ ଭାରତ ଅଭିମୁଖେ ଫେରୁଥିବା ଏକ ଶିଖ ଦଳଙ୍କୁ ଅଟକାଇଛି। ସେମାନେ ଗୁରୁ ଗ୍ରନ୍ଥ ସାହେବଙ୍କୁ ସାଙ୍ଗରେ ନେଇ ଭାରତ ଫେରୁଥିଲେ। ଏହି ଧାର୍ମିକ ଗ୍ରନ୍ଥ ଆଫଗାନିସ୍ତାନର ଐତିହ୍ୟର ଏକ ଅଂଶ ଭାବରେ ବିବେଚନା କରାଯାଇଥାଏ ବୋଲି ତାଲିବାନ କହିଛି। ତେବେ ଏନେଇ ଶିଖ୍‌ମାନଙ୍କୁ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହାୟତା ପାଇଁ ଅପିଲ୍‌ କରାଯାଇଛି।

୧୯୯୦ ଦଶକରେ ଆଫଗାନିସ୍ତାନ ଶିଖମାନେ ନିଜ ଦେଶ ଛାଡି ପଳାଇବା ଆରମ୍ଭ କରିଥିଲେ। ଅନୁମାନ କରାଯାଉଛି ଯେ ବର୍ତ୍ତମାନ ସେଠାରେ ୧୦୦ ରୁ କମ ଶିଖ୍‌ ବାକି ଅଛନ୍ତି। ୬୦ ଜଣିଆ ଶିଖଙ୍କର ଏକ ଦଳ ଭାରତ ଆସିବାକୁ ପ୍ରସ୍ତୁତ ହେଉଛନ୍ତି, କିନ୍ତୁ ସେମାନେ ମଧ୍ୟ ସେମାନଙ୍କର ଚାରି ଗୁରୁ ଗ୍ରନ୍ଥ ସାହିବଙ୍କୁ ଭାରତ ଆଣିବାକୁ ଚାହୁଁଛନ୍ତି।

ତାଲିବାନଙ୍କ ଏହି ପଦକ୍ଷେପକୁ ଅମୃତସର ସ୍ଥିତ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ସଭାପତି ହରିନ୍ଦର ସିଂ ଧାମି ନିନ୍ଦା କରିଛନ୍ତି। ସେ ତାଲିବାନ ସରକାରଙ୍କ ନିଷ୍ପତ୍ତିକୁ ଶିଖମାନଙ୍କ ଧାର୍ମିକ କାର୍ଯ୍ୟରେ ପ୍ରତ୍ୟକ୍ଷ ହସ୍ତକ୍ଷେପ ବୋଲି କହିଛନ୍ତି।

ଏହାପୂର୍ବରୁ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଭାରତ ଦ୍ୱାରା କରାଯାଇଥିବା ଉଦ୍ଧାର କାର୍ଯ୍ୟରେ ଆଫଗାନିସ୍ତାନ ଶିଖମାନେ ଗୁରୁ ଗ୍ରନ୍ଥ ସାହେବଙ୍କୁ ସାଙ୍ଗରେ ଆଣିଥିଲେ। ସେତେବେଳେ ସେପରି କୌଣସି ପ୍ରତିବନ୍ଧକ ଲଗାଯାଇ ନଥିଲା।

ତାଲିବାନର ଏଭଳି କାର୍ଯ୍ୟ ଶିଖ ସମ୍ପ୍ରଦାୟର ସଦସ୍ୟଙ୍କ ଚିନ୍ତା ବଢ଼ାଇଛି। ଆଫଗାନିସ୍ତାନରେ ଫସି ରହିଥିବା ଅନେକ ଲୋକଙ୍କ ପରିବାର ଅଛି ଯେଉଁମାନେ ଭାରତ ଆସିଛନ୍ତି। ଭାରତରେ ପ୍ରାୟ ୨୦ ହଜାର ଆଫଗାନିସ୍ତାନ ଶିଖ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦିଲ୍ଲୀରେ ରୁହନ୍ତି।

ଧାମି କହିଛନ୍ତି, ଯଦି ଆଫଗାନିସ୍ତାନ ସରକାର ପ୍ରକୃତରେ ଶିଖମାନଙ୍କ ବିଷୟରେ ଚିନ୍ତା କରନ୍ତି, ତେବେ ଏହା ସେମାନଙ୍କ ଜୀବନ, ସମ୍ପତ୍ତି ଏବଂ ଧାର୍ମିକ ସ୍ଥାନର ନିରାପତ୍ତାକୁ ନିଶ୍ଚିତ କରିବା ଉଚିତ। ପୂଜାପାଠ ଉପରେ ଆକ୍ରମଣ ଦ୍ୱାରା ସେମାନଙ୍କୁ ବ୍ୟଥିତ କରାଯିବା ଉଚିତ ନୁହେଁ। ସେ କହିଛନ୍ତି ଯେ ସଂଖ୍ୟାଲଘୁ ହୋଇଯାଇଥିବା ଆଫଗାନିସ୍ତାନ ଶିଖମାନଙ୍କୁ ନିର୍ଯାତନା ଦିଆଯାଉଛି ଏବଂ ଦେଶ ଛାଡିବାକୁ ବାଧ୍ୟ କରାଯାଉଛି। ଧାମି ପ୍ରଶ୍ନ କରିଛନ୍ତି, ଯଦି ଶିଖମାନେ ଆଫଗାନିସ୍ତାନରେ ରହିବେ ନାହିଁ ତେବେ ଗୁରୁଦ୍ୱାର ସାହେବମାନଙ୍କର ଯତ୍ନ ନେବେ କିଏ?

ସେ ଭାରତ ସରକାର, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏବଂ ବୈଦେଶିକ ମନ୍ତ୍ରଣାଳୟକୁ ଏଥିରେ ହସ୍ତକ୍ଷେପ କରିବାକୁ ଏବଂ ଆଫଗାନିସ୍ତାନରେ ଶିଖମାନଙ୍କ ଅଧିକାରର ସୁରକ୍ଷା ନିଶ୍ଚିତ କରିବାକୁ ସେ ଅନୁରୋଧ କରିଛନ୍ତି।

ଆଇଡବ୍ଲ୍ୟୁଏଫ ସଭାପତି ପୁନିତ୍‌ ସିଂ ଚାନ୍ଦୋକ କହିଛନ୍ତି, , ଯେତେବେଳେ ସେମାନେ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚିଲେ, ସେମାନଙ୍କୁ କୁହାଯାଇଥିଲା ଯେ ସେମାନଙ୍କର ଯାତ୍ରା ଉପରେ କୌଣସି ପ୍ରତିବନ୍ଧକ ନାହିଁ, କିନ୍ତୁ ସେମାନେ ଗୁରୁ ଗ୍ରନ୍ଥ ସାହେବକୁ ନେଇପାରିବେ ନାହିଁ। ଆଫଗାନିସ୍ତାନର ସଂସ୍କୃତି ମନ୍ତ୍ରଣାଳୟ ଗ୍ରନ୍ଥ ସାହେବଙ୍କୁ ନିଜ ଦେଶର ଏକ ଐତିହ୍ୟ ବୋଲି ବିବେଚନା କରୁଛି ବୋଲି କୁହାଯାଇଥିଲା।

ଚାନ୍ଦୋକ କହିଛନ୍ତି ଯେ ଆମେ ଆଫଗାନିସ୍ତାନ ସରକାରଙ୍କୁ ଅନୁରୋଧ କରୁଛୁ ଯେ ଆଫଗାନିସ୍ତାନ ଶିଖମାନଙ୍କୁ ଭାରତରେ ଧାର୍ମିକ ଗ୍ରନ୍ଥ ଆଣିବାକୁ ଏବଂ ମିଳିତ ଜାତିସଂଘର ଚାଟର୍ର୍‌ ଅନୁଯାୟୀ ଧାର୍ମିକ ସ୍ବାଧୀନତାକୁ ସୁବିଧା ପ୍ରଦାନ କରିବାକୁ ଅନୁମତି ଦିଅନ୍ତୁ।

 

Share