ଆଫଗାନିସ୍ତାନରେ ପୋଲିଓ ଟିକାକରଣ ବନ୍ଦ କଲା ତାଲିବାନ୍‌

ଦୁବାଇ,୧୬ା୯: ଆଫଗାନିସ୍ତାନରେ ଚାଲିଥିବା ପୋଲିଓ ଟିକାକରଣ ଅଭିଯାନକୁ ଶାସକ ତାଲିବାନ ବନ୍ଦ କରିଦେଇଥିବା ଜାତିସଂଘ ସୋମବାର କହିଛି। ସାରା ବିଶ୍ୱରେ ପୋଲିଓ ସଂକ୍ରମଣ ବନ୍ଦ ହୋଇଥିବାବେଳେ କେବଳ ଆଫଗାନିସ୍ତାନ ଏବଂ ପାକିସ୍ତାନରେ ଏବେ ବି ଅଙ୍ଗ ଅଚଳ କରିଦେଉଥିବା ଏହି ମାରାତ୍ମକ ରୋଗ ବ୍ୟାପୁଛି। ସେପ୍ଟେମ୍ବରରେ ଆଫଗାନିସ୍ତାନରେ ପୋଲିଓ ଟିକାକରଣ ଅଭିଯାନ ହେବାକୁ ଥିବାବେଳେ ତାଲିବାନ ଏହାକୁ ବନ୍ଦ କରିଦେଇଛି।

ଅଭିଯାନ ବନ୍ଦ କରିବାର କୌଣସି କାରଣ ଦର୍ଶାଯାଇ ନାହିଁ କିମ୍ବା ତାଲିବାନ ନିୟନ୍ତ୍ରିତ ସରକାରରୁ କେହି ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇନାହାନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି, ଆଫଗାନିସ୍ତାନରେ ଘରକୁ ଘର ଯାଇ ଟିକା ଦେବା ପରିବର୍ତ୍ତେ ମସ୍‌ଜିଦଗୁଡ଼ିକରେ ଟିକାକରଣ କାର୍ଯ୍ୟକ୍ରମ କରାଯିବା ନେଇ ଆଲୋଚନା ହୋଇଥିଲା। ତେବେ ଏହାକୁ କ’ଣ ପାଇଁ ବନ୍ଦ କରାଗଲା ଜଣାପଡ଼ି ନାହିଁ। ୨୦୨୩ରେ ଆଫଗାନିସ୍ତାନରେ ୬ ପୋଲିଓ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଚଳିତ ବର୍ଷ ୧୮ ମାମଲା ଚିହ୍ନଟ ହୋଇଥିବା ଡବ୍ଲ୍ୟୁଏଚ୍‌ଓ ସ୍ପଷ୍ଟ କରିଥିଲା।

ପାକିସ୍ତାନରେ ମଧ୍ୟ ପୋଲିଓ ଟିକାକରଣ ବେଳେ ଅନେକ ସମୟରେ ହିଂସାକାଣ୍ଡ ଘଟିଥାଏ। ଟିକାକରଣ କାର୍ଯ୍ୟକ୍ରମରେ ନିୟୋଜିତ ଟିମ୍‌ ଏବଂ ସେମାନଙ୍କୁ ସୁରକ୍ଷା ଦେଉଥିବା ପୋଲିସ କର୍ମଚାରୀଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କରିଥାନ୍ତି। ଶିଶୁମାନଙ୍କୁ ବନ୍ଧ୍ୟା କରିଦେବା ପାଇଁ ପୋଲିଓ ଟିକାକରଣ ଏକ ପାଶ୍ଚାତ୍ୟ ଷଡ଼ଯନ୍ତ୍ର ବୋଲି ସେମାନଙ୍କ ମଧ୍ୟରେ ଏକ ଭୁଲ୍‌ ଧାରଣା ରହିଛି। ସେପ୍ଟେମ୍ବରର ଟିକାକରଣ ଅଭିଯାନକୁ ବନ୍ଦ କରିବା ଆଫଗାନିସ୍ତାନରେ ପୋଲିଓ ନିରାକରଣ କାର୍ଯ୍ୟକ୍ରମକୁ ଶକ୍ତ ଧକ୍କା ବୋଲି କୁହାଯାଇଛି।

Share