କ୍ୟାମେରା ସାମ୍ନାରେ ଉଦାରତା, ଅସଲରେ ବର୍ବରତା

କାବୁଲ,୨୧ ।୯: ଆଫଗାନ ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ନ କରିବା କଥା କହିଥିବା ତାଲିବାନ କିନ୍ତୁ ଏବେ ତା’ର ଅସଲ ଚେହେରା ଦେଖାଇଛି । ମହିଳାଙ୍କୁ ସେମାନଙ୍କ ଅଧିକାର ମିଳୁ ନ ଥିବାରୁ ସେମାନେ ଏବେ ରାଜ ରାସ୍ତାରେ । ଏହାର ଏକ ବଡ ଉଦାହରଣ ହେଉଛନ୍ତି ଟୋଲୋ ନ୍ୟୁଜରେ କାମ କରୁଥିବା ଆଙ୍କର ବେହିସ୍ତା ଅର୍ଘଦ ଯେ ସିଧା ପ୍ରସାରଣରେ ତାଲିବାନ ପ୍ରବକ୍ତାଙ୍କ ସାକ୍ଷାତ୍‌କାର ନେଇଥିଲେ । ଏମିତି କରିବାରେ ସେ ପ୍ରଥମ ଆଫଗାନ ମହିଳା ଥିଲେ । ହେଲେ ତାଲିବାନର ନୀତି ଓ ଧମକଚମକ ଯୋଗୁ ମାତ୍ର ଏକ ସପ୍ତାହ ମଧ୍ୟରେ ତାଙ୍କୁ ଦେଶ ଛାଡିବାକୁ ପଡିଥିଲା । ଥିଙ୍କ ଟେକ୍ ଇଣ୍ଟରନ୍ୟାଶନାଲ ଫୋରମ ଫର ରାଇଟ୍ ଆଣ୍ଡ ସିକ୍ୟୁରିଟି କହିଛି ଯେତେବେଳେ ଅର୍ଘଦଙ୍କ ଭଳି ଶିକ୍ଷିତାଙ୍କୁ ତାଲିବାନ ଡରରେ ଦେଶ ଛାଡିବାକୁ ପଡୁଛି ସେତେବେଳେ ଗାଁ ଗହଳିରେ ରହୁଥିବା ମହିଳାଙ୍କ କଷ୍ଟକୁ ସହଜରେ ଅନୁମାନ କରାଯାଇ ପାରୁଛି । ଫୋରମ ତା’ର ରିପୋର୍ଟରେ କହିଛି ଯେଉଁ ତାଲିବାନକୁ ବିଶ୍ୱ ପ୍ରେସ କନଫରେନ୍ସ ଓ ଟେଲିଭିଜନରେ ଦେଖୁଛି ତାହା ତା’ର ପକୃତ ଚେହେରା ନୁହେଁ । କ୍ୟାମେରା ସାମ୍ନରେ ଉଦାରତା ଦେଖାଉଥିବା ତାଲିବାନ ଅସଲରେ ବର୍ବରତାର ସବୁ ସୀମା ଅତିକ୍ରମ କରି ସାରିଲାଣି ।

Share