ନ୍ୟୁଜ ଆଙ୍କରଙ୍କୁ ତାଲିବାନର ଧମକ: ଭିଡିଓ ଭାଇରାଲ

କାବୁଲ,୨୦ ।୮: ଆଫଗାନିସ୍ତାନରେ ତାଲିବାନ ପ୍ରବେଶ କରିବା ପରେ ଏବେ ସେଠାରେ ଖାଲି ଭୟର ବାତାବରଣ । ଆଫଗାନିସ୍ତାନବାସୀ ଏବେ କୌଣସି ପ୍ରକାରେ ଦେଶ ଛାଡି ଚାଲିଯିବାକୁ ଉଦ୍ୟତ ହେଉଥିବା ବେଳେ କେତେକ ସେହିଠାରେ ରହିବାକୁ ପସନ୍ଦ କରୁଛନ୍ତି । ଏପଟେ ତାଲିବାନ ରାସ୍ତା ଉପରେ ମାରଣାସ୍ତ୍ର ଧରି ବୁଲୁଥିବା କୁହାଯାଉଛି । ସେ ଏପରି ଲୋକଙ୍କୁ ଖୋଜୁଛି ଯିଏ ଆମେରିକା ସହ ଗତ ୨୦ ବର୍ଷ ହେବ ସମ୍ପର୍କ ରଖିଛି । ଇତିମଧ୍ୟରେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ କାମ କରୁଥିବା ଜଣେ ମହିଳା ଆଙ୍କରଙ୍କୁ ତାଲିବାନ ଧମକ ଦେଇଥିବା ଜଣାପଡିଛି । ଆଙ୍କର ଜଣକ ଏକ ଭିଡିଓ ଶେୟାର କରି ଏହି ସୂଚନା ଦେବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇଛନ୍ତି । ଭିଡିଓରେ ମହିଳା ଆଙ୍କର ଶବନମ ଦାଓରନ୍ ଏକ ହିଜାବ ପିନ୍ଧି ବସିଥିବା ବେଳେ କହୁଛନ୍ତି ସେ କାମ କରିବା ପାଇଁ ଅଫିସ ଆସିଥିଲେ ବି ତାଲିବାନ ତାଙ୍କୁ ଅଫିସ ଭିତରକୁ ଯିବାକୁ ଦେଇ ନ ଥିଲା । ଆଇକାର୍ଡ ଦେଖାଇବା ପରେ ବି ତାଲିବାନ କହିଥିଲା ଏବେ ଢାଞ୍ଚା ବଦଳିଗଲାଣି ତମେ ମହିଳା ଘରେ ରହିବା ଭଲ । ଘରକୁ ଚାଲିଯାଅ । ପୁରୁଷ କର୍ମଚାରୀମାନେ ଆଇ କାର୍ଡ ଦେଖାଇ ଅଫିସ ଭିତରକୁ ଯାଉଥିବା ବେଳେ ତାଲିବାନ କିନ୍ତୁ ମହିଳା କର୍ମଚାରୀଙ୍କୁ ପ୍ରବେଶ କରିବାକୁ ଦେଉ ନ ଥିବା ସେ କହିଛନ୍ତି । ସେ କହିଛନ୍ତି ବିଶ୍ୱବାସୀ ଯେଉଁମାନେ ବି ମୋତେ ଦେଖୁଛନ୍ତି ବା ଶୁଣୁଛନ୍ତି ସେମାନେ ଆମକୁ ସାହାଯ୍ୟ କରନ୍ତୁ କାରଣ ଆମ ଜୀବନ ପ୍ରତି ବିପଦ ରହିଛି । ଶବନମଙ୍କର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Share