‘କଶ୍ମୀରକୁ ମୁକ୍ତ କରିବା ପାଇଁ ଆମ ସହ ତାଲିବାନ୍‌ ଅଛି’

ନୂଆଦିଲ୍ଲୀ,୨୫।୮: ତାଲିବାନ୍‌ ନେତାମାନେ ଆମ ସହ ଅଛନ୍ତି। ସେମାନେ କଶ୍ମୀରକୁ ସ୍ବତନ୍ତ୍ର କରିବା ଲାଗି ଆମକୁ ସାହାଯ୍ୟ କରିବେ। ଏକ ନ୍ୟୁଜ ଚ୍ୟାନେଲର ବିତର୍କ ବେଳେ ଏହା କହିଛନ୍ତି ପାକିସ୍ତାନର ସରକାରରେ ଥିବା ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ)ର ଜଣେ ନେତା ନୀଲମ ଇର୍ଶାଦ ଶେଖ।

ଏହି ଭିଡିଓ କ୍ଲିପକୁ ଟୁଇଟ୍‌ କରିଥିଲେ ପାକିସ୍ତାନ ଜର୍ନାଲିଷ୍ଟ ତଥା ପୂର୍ବତନ ଆମ୍ବାସାଡର ହୁସେନ ହାକ୍କାନି। ଭିଡିଓରେ ନ୍ୟୁଜ ଆଙ୍କର ଶେଖଙ୍କୁ ବାରମ୍ବାର ପଚାରିଥିଲେ କେଉଁଠୁ ଉପରୋକ୍ତ ସୂଚନା ପାଇଲେ। ମାଡାମ, ତୁମେ କ’ଣ କହିଲ ଜାଣିପାରୁଛ। ଏହାକୁ ପୂରା ବିଶ୍ୱ ଦେଖିବ। ଏହା ଭାରତରେ ମଧ୍ୟ ଦେଖାଯିବ ବୋଲି ଆଙ୍କର କହିଥିଲେ।

ତେବେ ଶେଖ ନିଜ ମନ୍ତବ୍ୟରୁ ଓହରି ନ ଥିଲେ। ସେ ଦାବି କରିଥିଲେ ଯେ, ପାକିସ୍ତାନ ସେନାର ଯଥେଷ୍ଟ ଶକ୍ତି ଅଛି। ତା’ ସାଙ୍ଗକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ନେତୃତ୍ୱ ଭାରତରୁ କଶ୍ମୀରକୁ ଅଲଗା କରି ଦେବାରେ ସାହାଯ୍ୟ କରିବ।

ଉଲ୍ଲେଖଯୋଗ୍ୟ, ଆମେରିକା ତା’ର ସେନା ପ୍ରତ୍ୟାହାର କରିବା ପରେ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ପଶି ଆସିଥିଲେ ତାଲିବାନ୍‌ ଆତଙ୍କବାଦୀ। ଏଥିସହ ଦେଶର ଗଣତାନ୍ତ୍ରିକ ସରକାରର ପତନ ଘଟିଥିଲା। ତାଲିବାନ୍‌ ଅଧିକାରୀମାନେ କଶ୍ମୀରକୁ ଦ୍ୱିପାକ୍ଷିକ ଓ ଆନ୍ତଃ ବିବାଦ ଓ ଭାରତର କେନ୍ଦ୍ର ଶାସିତ ଅଞ୍ଚଳ ଉପରେ ଦୃଷ୍ଟି ପକାଇବୁ ନାହିଁ ବୋଲି କହିଥିଲେ।

Share