ଆଫଗାନିସ୍ତାନରେ ବିନା ହ୍ବାଟସଆପ୍‌ରେ ଠପ୍‌ ହୋଇଯାଇଛି ସରକାରୀ କାର୍ଯ୍ୟ

କାବୁଲ,୨୦।୬: ଦୁଇମାସ ପୂର୍ବରୁ ତାଲିବାନର ସାମରିକ ଅଧିକାରୀଙ୍କ ଏକ ଟିମ୍‌ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଚଢାଉ କରିଥିଲା। ସେମାନଙ୍କର କମାଣ୍ଡର ହବିବ ରହମାନ ତାଙ୍କ ଯାଞ୍ଚସ୍ଥଳୀ ଖୋଜୁଥିଲେ।
ସେ ତାଙ୍କ ସହକର୍ମୀଙ୍କ ଫୋନରୁ ବଡ ଅଧିକାରୀମାନଙ୍କୁ ଫୋନ୍‌ କରି ଘଟଣାସ୍ଥଳ ବିଷୟରେ ପଚାରି ବୁଝିଥିଲେ। ସେପଟରୁ ଅଧିକାରୀ କହିଥିଲେ, ସେ ହ୍ବାଟସ୍‌ଆପ୍‌ରେ ଲୋକେଶନ ପଠାଇଛନ୍ତି। ତେବେ ତାଲିବାନ ଉପରେ ଆମେରିକାର ପ୍ରତିବନ୍ଧକ କାରଣରୁ ହଠାତ୍‌ ହ୍ବାଟସଆପ୍‌ ହବିବଙ୍କ ଆକାଉଣ୍ଟକୁ ବ୍ଲକ୍‌ କରିଦେଇଥିଲା। ଯାହାକୁ ନେଇ ହବିବ କହିଛନ୍ତି, ଆମର ଯୋଗାଯୋଗର ଏକମାତ୍ର ମାଧ୍ୟମ ହେଉଛି ହ୍ବାଟସ୍‌ଆପ୍‌।
କେବଳ ହବିବ୍‌ ନୁହଁନ୍ତି। ଗତ କିଛି ମାସ ମଧ୍ୟରେ ବହୁ ତାଲିବାନ ସରକାରୀ କର୍ମଚାରୀ, ପୋଲିସ ଏବଂ ସୈନିକଙ୍କ ହ୍ବାଟସଆପ୍‌ ଆକାଉଣ୍ଟକୁ ବ୍ଲକ୍‌ କିମ୍ବା ଅସ୍ଥାୟୀ ଭାବରେ ବନ୍ଦ କରାଯାଇଛି। ତାଲିବାନ ସରକାରଙ୍କ ମେସେଜିଂ ପ୍ଲାଟଫର୍ମ ଉପରେ ନିର୍ଭରଶୀଳତା ଯୋଗୁ ତାଲିବାନ ବହୁ ସମସ୍ୟାର ସମ୍ମୁଖୀନ ହେଉଛି।

ହ୍ବାଟସଆପ ସାହାଯ୍ୟରେ ସରକାରଙ୍କ ପ୍ରଶାସନର ଆଭ୍ୟନ୍ତରୀଣ କାର୍ଯ୍ୟ ଚାଲିଛି। ଏଥିସହ କର୍ମଚାରୀମାନଙ୍କୁ ସୂଚନା ଦେବା ପାଇଁ ସରକାରୀ ବିଭାଗ ଏହାକୁ ବ୍ୟବହାର କରୁଛନ୍ତି। ଗଣମାଧ୍ୟମକୁ ବିବୃତ୍ତି ଦେବା ସହ ମନ୍ତ୍ରଣାଳୟ ମଧ୍ୟରେ ଯୋଗାଯୋଗ ପାଇଁ ଏହି ପ୍ଲାଟଫର୍ମ ବ୍ୟବହୃତ ହେଉଛି। ବାଗଲାନ ପ୍ରଦେଶର ପୋଲିସ ମୁଖପାତ୍ର ଶିର ଅହମ୍ମଦ ବୁରହାନି କହିଛନ୍ତିି, ମୋର ସମ୍ପୂର୍ଣ୍ଣ କାର୍ଯ୍ୟ ହ୍ବାଟସଆପରେ ହେଉଛି। ଯଦି ଏହା ନଥାନ୍ତା, ଆମର ସମ୍ପୂର୍ଣ୍ଣ ପ୍ରଶାସନିକ ଏବଂ ଅଣ-ପ୍ରଶାସନିକ କାର୍ଯ୍ୟ ଠପ୍‌ ହୋଇଯାଇଥା’ନ୍ତା।

ଆମେରିକାର ନିଷେଧାଦେଶ ସତ୍ତ୍ୱେ ଟ୍ବିଟର୍‌ ଏବଂ ୟୁଟ୍ୟୁବ ଭଳି କିଛି ସୋସିଆଲ ମିଡିଆ ପ୍ଲାଟଫର୍ମ ତାଲିବାନଙ୍କୁ ସେମାନଙ୍କ ପ୍ଲାଟଫର୍ମ ବ୍ୟବହାର କରିବାକୁ ଅନୁମତି ଦେଇଛି। ସେହିପରି ଆଫଗାନିସ୍ତାନର ମୋବାଇଲ ଫୋନ ଷ୍ଟୋରରେ ସିମ୍‌ କାର୍ଡର ଅଭାବ ଦେଖାଦେଇଛି। ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ ଆଫଗାନିସ୍ତାନର ପ୍ରାୟ ୭୦ ପ୍ରତିଶତ ଲୋକଙ୍କର ଏକ ମୋବାଇଲ ଫୋନ ରହିଛି।

Share