କାବୁଲ,୨୩।୮: ତାଲିବାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ନାଲି ଆଖ ଦେଖାଇଛି। ଆତଙ୍କବାଦୀ ସଂଗଠନ ପକ୍ଷରୁ ସିଧାସଳଖ ଧମକ ଦେଇ କୁହାଯାଇଛି ଯେ, ଯେ ଯଦି ବାଇଡେନ୍ ସରକାର ଆଫଗାନିସ୍ତାନରୁ ନିଜର ସୈନ୍ୟ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରତ୍ୟାହାର ନ କରନ୍ତି ତେବେ ଏହାର ଭୟଙ୍କର ପରିଣାମ ଭୋଗିବାକୁ ହେବ। ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି ଆମେରିକାର ରାଷ୍ଟ୍ରପତି ବାଇଡେନ୍ ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟଙ୍କୁ ସ୍ବଦେଶ ଫେରାଇ ନେବା କଥା କହିଥିଲେ। ପ୍ରତ୍ୟାହାର ସମୟ ସୀମା ଅବଧି ଗୋଟିଏ ଦିନ ଅଧିକ ମଧ୍ୟ ବଢ଼ାଯିବ ନାହିଁ। ଯଦି ଆମେରିକା ଏବଂ ବ୍ରିଟେନ ଅଗଷ୍ଟ ୩୧ ଠାରୁ ଗୋଟିଏ ଦିନ ବୃଦ୍ଧି ପାଇଁ ମାଗନ୍ତି, ତେବେ ଉତ୍ତର କେବଳ ନାହିଁ ମିଳିବ ବୋଲି ମୁଖପାତ୍ର କହିଛନ୍ତି। ତାଲିବାନର ଏଭଳି ଧମକ ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି।